କରୋନା ଯୋଗୁଁ ମୋର ମେମୋରି ଉଡ଼ିଯାଇଛି : ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଉତ୍ତର ଶୁଣି ଇଡି ତାଜୁବ

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେରା କରିବା ବେଳେ ନାକେଦମ ହୋଇଯାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି) । ଜେରା ବେଳେ ସେ କହୁଛନ୍ତି ଯେ ତାଙ୍କର କରୋନା ହୋଇଥିଲା, ସେଥିପାଇଁ ତାଙ୍କର ଆଉ କିଛି ମନେ ନାହିଁ ।

ଇଡି ପକ୍ଷରୁ କୁହାଯାଇଛି ଯେ ଜେରା ବେଳେ ଯେତେବେଳେ ତାଙ୍କୁ କେତେକ କାଗଜପତ୍ର ସମ୍ପର୍କରେ ପଚରା ଯାଇଥିଲା, ତାହାର ଉତ୍ତରରେ ଜୈନ କହିଥିଲେ ଯେ ତାଙ୍କୁ କରୋନା ସଂକ୍ରମଣ ହୋଇଥିଲା । ଏହି କାରଣରୁ ତାଙ୍କର ମେମୋରି (ସ୍ମୃତିଶକ୍ତି) ଚାଲିଯାଇଛି, ଆଉ କିଛି ମନେ ପଡ଼ୁନାହିଁ । ଏପରି ଉତ୍ତର ଶୁଣି ଇଡି ଅଧିକାରୀମାନେ ତାଜୁବ ହୋଇଯାଇଥିଲେ ।

ଆୟଠାରୁ ଅଧିକ ସମ୍ପତ୍ତି ଜବତ ଓ ମନି ଲଣ୍ଡ୍ରିଙ୍ଗ (ବେଆଇନ ଅର୍ଥ କାରବାର) ଅଭିଯୋଗରେ ଗତ ମେ ୩୦ରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ଏହା ସହିତ ଇଡି ପକ୍ଷରୁ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହଯୋଗୀଙ୍କ ଘରେ ଚଢଉ କରି ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ କରାଯାଇଥିଲା । ଏହା ସହିତ କେତେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିଲା । ତାଙ୍କ ପତ୍ନୀ ଓ ଝିଅଙ୍କ ନାମରେ ୧୬ କୋଟିର ଠକେଇ ଅଭିଯୋଗ ମଧ୍ୟ ରହିଛି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହାକୁ ଖଣ୍ଡନ କରିଛନ୍ତି । ରାଜନୈତିକ ପ୍ରତିଶୋଧ ପାଇଁ କେନ୍ଦ୍ର ସରକାର ଇଡିକୁ ବ୍ୟବହାର କରୁଥିବା କେଜ୍ରିଓ୍ବାଲ କହିଛନ୍ତି ।

 

 

ସମ୍ବନ୍ଧିତ ଖବର