ନୂଆଦିଲ୍ଲୀ: ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍ (ଟାସ୍ମାକ୍) ତଥା ରାଜ୍ୟ ପରିଚାଳିତ ମଦ ନୀତିରେ ହୋଇଥିବା ଅନିୟମିତତାର ତଦନ୍ତ କରୁଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ସୁପ୍ରିମ୍କୋର୍ଟ ଆଜି କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗୱାଇ ଏହି ମାମଲାର ଶୁଣାଣିରେ କହିଛନ୍ତି, କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ସବୁ ସୀମା ଅତିକ୍ରମ କରୁଛି। ଇଡି ସଂଘୀୟ ବ୍ୟବସ୍ଥା ଉଲ୍ଲଂଘନ କରୁଛି ବୋଲି ମଧ୍ୟ ପ୍ରଧାନ ବିଚାରପତି କହିଛନ୍ତି। କୋର୍ଟ ଏ ବାବଦ ଇଡି ତଦନ୍ତ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସମଗ୍ର ମାମଲାରେ ଏଜେନ୍ସିକୁ ଜବାବ ଦାଖଲ କରିବାକୁ କୁହାଯାଇଛି।
ତାମିଲନାଡ଼ୁ ସରକାରଙ୍କ ଆବେଦନ ଉପରେ ଗୁରୁବାର ସୁପ୍ରିମ୍କୋର୍ଟରେ ଶୁଣାଣି ହୋଇଥିଲା । ପିଟିସନରେ ମାଡ୍ରାସ ହାଇକୋର୍ଟ ଦ୍ବାରା ଇଡିକୁ ଦିଆଯାଇଥିବା ତଦନ୍ତର ସ୍ୱାଧୀନତାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଟାସ୍ମାକ୍ରେ ହୋଇଥିବା ୧୦୦୦ କୋଟି ଟଙ୍କାର ମଦ ଦୁର୍ନୀତିର ତଦନ୍ତ ପାଇଁ ହାଇକୋର୍ଟ ଇଡିକୁ ମୁକ୍ତ ସୁଯୋଗ ଦେଇଥିଲେ। ନିଗମ ବିରୋଧରେ ଏଭଳି ଆପରାଧିକ ମାମଲା କିଭଳି ରୁଜୁ ହୋଇପାରିବ ବୋଲି ପ୍ରଧାନବିଚାରପତି ପ୍ରଶ୍ନ କରିଛନ୍ତି। ବାସ୍ତବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମସ୍ତ ସୀମା ଅତିକ୍ରମ କରୁଛି। ସେଠାରେ ଅଧିକାରୀଙ୍କ ବିରୋଧରେ ଏଫ୍ଆଇଆର୍ ଥିବା ବେଳେ ଇଡି କେଉଁ ଆଧାରରେ ସେଠି ତଦନ୍ତ କରୁଛି ଓ ଚଢ଼ଉ ଜାରି ରଖିଛି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି। ଇଡି ତଦନ୍ତ ପ୍ରକ୍ରିୟା ନେଇ ସତ୍ୟପାଠ ଦାଖଲ କରିବା ଉଚିତ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ଟାସ୍ମାକ୍ ଦୁର୍ନୀତିର ତଦନ୍ତ ଉପରେ ରୋକ୍
ଜବାବ ଦାଖଲ ପାଇଁ ଏଜେନ୍ସିକୁ ନିର୍ଦ୍ଦେଶ
ଏ ନେଇ ଏଏସ୍ ଜି ଏସ୍ ଭି ରାଜୁ କହିଛନ୍ତି, ଟାସ୍ମାକ୍ରେ ବଡ଼ ଧରଣର ଦୁର୍ନୀତି ହୋଇଛି ଏବଂ ଏହି ମାମଲାରେ ମୋତେ ଜବାବ ଦାଖଲ କରିବାକୁ ଦିଅନ୍ତୁ। ସିଜେଆଇ ରାଜୁଙ୍କୁ କହିଥିଲେ ଯେ ଇଡି ସଂଘୀୟ ଢାଞ୍ଚାକୁ ନଷ୍ଟ କରୁଥିବାରୁ ଏହି ପ୍ରକ୍ରିୟାରେ ତତ୍କାଳ ହସ୍ତକ୍ଷେପ ଜରୁରୀ। ଏହା ସହ ଆଜି ସୁପ୍ରିମ୍କୋର୍ଟ ଏହି ମାମଲାର ଶୁଣାଣି ଉପରେ ରୋକ୍ ଲଗାଇବା ପାଇଁ ଏକ ଆଦେଶ ଜାରି କରିଛନ୍ତି। ପୂର୍ବରୁ ଏଜେନ୍ସି ଦାବି କରିଥିଲା ଯେ ଟାସ୍ମାକ୍ର କାର୍ଯ୍ୟରେ ଅନେକ ଅନିୟମିତତା ଦେଖିବାକୁ ମିଳିଛି। ଏଜେନ୍ସି ଆହୁରି ମଧ୍ୟ କହିଛି ଯେ ହିସାବବିହୀନ କୋଟି କୋଟି ନଗଦ ଟଙ୍କା ମଧ୍ୟ ମିଳିଥିଲା। ମଦ ଦର ନିର୍ଦ୍ଧାରଣରେ ମଧ୍ୟ ଦୁର୍ନୀତି ହୋଇଛି ବୋଲି ଇଡି କହିଥିଲା ଏବଂ ଏ ନେଇ ଚଢ଼ଉ ଜାରି ରଖିଥିଲା। ଗତ ସପ୍ତାହରେ ପିଏମ୍ଏଲଏ ଅଧୀନରେ ୧୦ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଟେଣ୍ଡର ବଣ୍ଟନ ସମୟରେ ଠକେଇ ହୋଇଥିଲା ଏବଂ ଏ ବାବଦ ପ୍ରମାଣ ହାସଲ ହୋଇଛି ବୋଲି ଇଡି କୋର୍ଟରେ ଯୁକ୍ତି ରଖିଛି। ଏହାପରେ ତାମିଲନାଡୁ ଅବକାରୀ ମନ୍ତ୍ରୀ ଏସ୍ ମୁଥୁସ୍ୱାମୀ ଅଭିଯୋଗ କରିଥିଲେ ଯେ ଇଡି ସରକାରୀ ଅଧିକାରୀଙ୍କୁ ହଇରାଣ କରୁଛି ଏବଂ ରାଜନୈତିକ ପ୍ରତିଶୋଧମୂଳକ କାର୍ଯ୍ୟ କରୁଛି। ସେ କହିଛନ୍ତି ଯେ ଇଡି ପାଖରେ ଅନିୟମିତତାର କୌଣସି ପ୍ରମାଣ ନାହିଁ।