ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାର ତଦନ୍ତ ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୁକ୍ତଙ୍କ ଠାରୁ ଜବତ ବା ସଂଗ୍ରହ କରୁଥିବା ଦସ୍ତାବିଜ୍ ପରବର୍ତ୍ତୀ ସମୟରେ ସେମାନଙ୍କୁ ପ୍ରଦାନ କରୁନାହିଁ। ଏହାଦ୍ବାରା ସମ୍ବିଧାନର ଧାରା ୨୧ ଅନୁସାରେ ସେମାନଙ୍କର ମୌଳିକ ଅଧିକାର କ୍ଷୁଣ୍ଣ ହେଉନାହିଁ କି? ତଦନ୍ତକାରୀ ସଂସ୍ଥା ଜବତ କରିଥିବା ସମସ୍ତ ଦସ୍ତାବିଜ୍କୁ ଅଭିଯୁକ୍ତ ମାଗିପାରିବ ନାହିଁ ବା ବୈଷୟିକ କାରଣରୁ ଏହାକୁ ଦେଇହେବ ନାହିଁ ବୋଲି ଇଡି ଯୁକ୍ତି ବାଢ଼ିବା ପରେ ସୁପ୍ରିମକୋର୍ଟ ଏଭଳି ପ୍ରଶ୍ନ କରିଛନ୍ତି।
କୋର୍ଟ କହିଛନ୍ତି, ତଦନ୍ତକାରୀ ସଂସ୍ଥାର ଏଭଳି କାର୍ଯ୍ୟ କ’ଣ ଲୋକଙ୍କ ଜୀବନ ଏବଂ ବ୍ୟକ୍ତିଗତ ସ୍ବାଧୀନତା ଭଳି ମୌଳିକ ଅଧିକାରର ଉଲ୍ଲଂଘନ କରୁନାହିଁ କି? ବିଚାରପତି ଏଏସ୍ ଓକା, ବିଚାରପତି ଅସନୁଦ୍ଦିନ ଅମାନୁଲ୍ଲା ଏବଂ ବିଚାରପତି ଅଗଷ୍ଟାଇନ ଜର୍ଜ ମାସିଙ୍କ ଖଣ୍ଡପୀଠ ଏକ ଆବେଦନ ଉପରେ ଶୁଣାଣି କରିବା ସମୟରେ ଇଡି ଉପରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ଅନେକ ସମୟରେ ଇଡି ନିକଟରେ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଥାଏ। କିନ୍ତୁ ମାମଲାରେ ଚାର୍ଜସିଟ୍ ଦାଖଲ କରିବାପରେ ବି ଇଡି ଅଭିଯୁକ୍ତଙ୍କୁ ଏହି ଦସ୍ତାବିଜ ଉପଲବ୍ଧ କରାଯାଇପାରିବନି ବୋଲି କହୁଛନ୍ତି। ତଦନ୍ତ ପ୍ରକ୍ରିୟାରେ ଜବତ ପ୍ରତିଟି ଦସ୍ତାବିଜ ଅଭିଯୁକ୍ତ ମାଗି ପାରିବେନି ବୋଲି ଇଡି କହୁଥିବାବେଳେ ଖଣ୍ଡପୀଠ କହିଛନ୍ତି, ଇଡି କିଭଳି ଭାବେ ଟେକନିକାଲ୍ ଗ୍ରାଉଣ୍ଡ୍ରେ କାଗଜପତ୍ର ଦେବାକୁ ମନା
କରିପାରିବେ? ସବୁକିଛି କାହିଁକି ସ୍ବଚ୍ଛ ହେବ ନାହିଁ? ଅଭିଯୁକ୍ତଙ୍କୁ ଦସ୍ତାବିଜ ପ୍ରଦାନ କରିବା ସମୟରେ ଇଡି ବିରକ୍ତ ହେବା ଉଚିତ ନୁହେଁ। ଏହା କ’ଣ ସମ୍ବିଧାନର ଧାରା ୨୧ ଅଧୀନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଧିକାରର ଉଲ୍ଳଂଘନ କରୁନାହିଁ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ୨୦୨୨ ସରଳା ଗୁପ୍ତା ବନାମ ଇଡି ମାମଲାର ଶୁଣାଣି ସମୟରେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। ବିଚାରଣ ପୂର୍ବରୁ ପିଏମ୍ଏଲ୍ଏ ମାମଲାରେ ତଦନ୍ତ ପାଇଁ ନିର୍ଭର କରୁଥିବା ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ରୁ ଅଭିଯୁକ୍ତକୁ ବଞ୍ଚିତ କରିପାରିବ କି ପ୍ରସଙ୍ଗକୁ ଭିତ୍ତିକରି ଏହି ମାମଲା ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଆପ୍ ନେତା ମନୀଷ ସିସୋଦିଆ, ବିଆର୍ଏସ୍ ନେତ୍ରୀ କେ କବିତା ଆଦି ପିଏମ୍ଏଲ୍ଏରେ ଗିରଫ ହୋଇଛନ୍ତି। ଏହା ପରେ ଉକ୍ତ ମାମଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମାମଲାର ଶୁଣାଣି ସମୟରେ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ କହିଥିଲେ, ଅଭିଯୁକ୍ତଙ୍କୁ ଜବତ ଦସ୍ତାବିଜର ତାଲିକା ଦିଆଯାଇଥାଏ। ଯଦି ସେସବୁ ଆବଶ୍ୟକ ନଥାଏ ତାହେଲେ ସେ ତାହାକୁ ମାଗିପାରିବେ ନାହିଁ। ଏହାପରେ ଅଦାଲତ କହିଥିଲେ ଧରନ୍ତୁ ହଜାର ହଜାର ପୃଷ୍ଠାର ଦସ୍ତାବିଜ୍ ରହିଛି। ଆଜିକାଲି ଆଧୁନିକ ସମୟରେ ଏସବୁକୁ କିଛି ମିନିଟ୍ ମଧ୍ୟରେ ସ୍କାନ କରି ଦିଆଯାଇ ପାରିବ। ବିଚାରର ସମ୍ମୁଖୀନ ହେଉଥିବା ବ୍ୟକ୍ତିକୁ ଯଦି ଦସ୍ତାବିଜ୍ ଦିଆଯାଇ ପାରିବ ନାହିଁ ବୋଲି କହିବା ତାହେଲେ ତାହା ନ୍ୟାୟ ହେବ କି? ଖଣ୍ଡପୀଠ କହିଥିଲେ ଜାମିନ ଆବେଦନ ହେଉ କିମ୍ବା ମାମଲା ରଦ୍ଦ କରିବାକୁ ହେଉ ଅଭିଯୁକ୍ତର ଦସ୍ତାବିଜ୍ ମାଗିବାର ସବୁ ଅଧିକାର ରହିଛି। କୋର୍ଟ ଏହି ମାମଲାର ରାୟ ସଂରକ୍ଷିତ ରଖିଛନ୍ତି।