ଚୀନ ଋଣ ଆପ୍ ମାମଲା : ପେଟିଏମ, ରୋଜରପେ, ଇଜବଜ ଉପରେ ଇଡି ଚଢଉ, ଅଚଳ ହେଲା ୪୬ କୋଟିର ଜମା

ନୂଆଦିଲ୍ଲୀ : ଚୀନ ଋଣ ଆପଗୁଡ଼ିକ ଉପରେ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ଇଡି)ର ଚଢଉ ଜାରି ରହିଛି । ଶୁକ୍ରବାରଦିନ ଇଡି ପକ୍ଷରୁ ବିଭିନ୍ନ ପେମେଣ୍ଟ ଆଗ୍ରିଗେଟର ଆପ୍ ପେଟିଏମ, ଇଜବଜ,ରୋଜରପେ ଓ କ୍ୟାସଫ୍ରି ଉପରେ ଚଢଉ କରି ସେଠାରେ ବିଭିନ୍ନ ଭର୍ଚୁଆଲ ଆକାଉଣ୍ଟରେ ଗଚ୍ଛିତ ଥିବା ପ୍ରାୟ ୪୬ କୋଟି ଟଙ୍କା ଫ୍ରିଜ ବା ଅଚଳ କରିଦେଇଛି । ଏସବୁ ଟଙ୍କା ଏଚପିଜେଡ୍ ଟୋକେନ ପକ୍ଷରୁ ରଖାଯାଇଥିଲା ।  ସବୁଠାରୁ ଅଧିକ ପ୍ରାୟ ୩୩ କୋଟିର ଜମା ଇଜବଜରେ ରଖାଯାଇଥିଲା ।

ଶୁକ୍ରବାରଦିନ ଇଡି ପକ୍ଷରୁ ଏଚପିଜେଡ୍ ଟୋକେନ ଆପର ବିଭିନ୍ନ ଅଫିସ ଉପରେ ଚଢଉ କରିଥିଲା । ଏହି ସଂସ୍ଥାର ଚୀନ କମ୍ପାନିମାନଙ୍କ ସହିତ ସଂପର୍କ ଥିବା ପ୍ରମାଣ ମି​ଳିବା ପରେ ଇଡି ପକ୍ଷରୁ ଏହି ଚଢଉ କରାଯାଇଥିଲା ।

ଏହି ସଂସ୍ଥା କ୍ରିପ୍ଟୋ କରେନ୍ସିରେ ନିବେଶ ମାଧ୍ୟମରେ ଅଧିକ ରିଟର୍ଣ୍ଣର ଲୋଭ ଦେଖାଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏପରିକି ଏହି ଟଙ୍କା ବେଆଇନ ଅର୍ଥକାରବାର ମାଧ୍ୟମରେ ଚୀନକୁ ପଠାଯାଇଥିବା ସଂଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବେ ଦେଶରେ ଚିଟ୍ ଫଣ୍ଡ ସଂସ୍ଥାମାନେ ଲୋକମାନଙ୍କୁ ଅଳ୍ପ ଦିନରେ ଟଙ୍କା ଦୁଇଗୁଣ କରିବାର ଲୋଙଭ ଦେଖାଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଉଥିଲେ । ଚିଟ ଫଣ୍ଡ କମ୍ପାନିମାନଙ୍କ ଉପରେ ଚଢଉ ପରେ ଏବେ ତାଙ୍କ ସ୍ଥାନ ନେଇଛନ୍ତି ଚୀନର ଋଣ ଆପ୍ ମାନେ ।

ସମ୍ବନ୍ଧିତ ଖବର