ନୂଆଦିଲ୍ଲୀ : କର୍ପୋରେଟ୍ ଜଗତର ତିନିଟି ସଂସ୍ଥା ଉପରେ ଗୁରୁବାର ଦିନ ଭାରତୀୟ ତଦନ୍ତ ଏଜେନ୍ସି ଚଢ଼ଉ କରିଛନ୍ତି। ଔଷଧ ନିର୍ମାତା ମ୍ୟାନ୍କାଇଣ୍ଡ୍ ଫାର୍ମା ଉପରେ ଆୟକର ବିଭାଗ ଚଢ଼ଉ କରିଥିବା ବେଳେ ଡେଲଏଟ୍ ଓ କେପିଏମ୍ଜିରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢ଼ଉ କରିଛି। ଆଇଏଲ୍ ଆଣ୍ଡ୍ ଏଫ୍ଏସ୍ ମାମଲାରେ ଅଡିଟ୍ ସଂସ୍ଥା ଡେଲଏଟ୍ ଓ କେପିଏମ୍ଜିର ଭାରତୀୟ କାର୍ଯ୍ୟାଳୟରେ ଇଡି ତଲାସି କରିଛି।
ଟିକସ ଫାଙ୍କି ଅଭିଯୋଗରେ ଔଷଧ କମ୍ପାନି ମ୍ୟାନକାଇଣ୍ଡ୍ ଫାର୍ମାର କାର୍ଯ୍ୟାଳୟ ଏବଂ କାରଖାନା ଗୁଡ଼ିକରେ ଆୟକର ବିଭାଗ ଆଜି ଚଢ଼ଉ କରିଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଆୟକର ବିଭାଗ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରୁଛି। ଏଥିସହିତ କମ୍ପାନିର ଅଧିକାରୀମାନଙ୍କୁ ପଚରାଉଚରା ଚଳାଇଛି। କିଛିଦିନ ତଳେ କମ୍ପାନି ଆଇପିଓ ଆଣିବା ସହିତ ଷ୍ଟକ ଏକ୍ସଚେଞ୍ଜରେ ପ୍ରବେଶ କରିଛି।
ଆୟକର ଚଢ଼ଉ ଖବର ମିଳିବା ପରେ କମ୍ପାନିର ସେୟାର ମୂଲ୍ୟ ଆଜି ୫.୫ ପ୍ରତିଶତ ହ୍ରାସ ଘଟିଛି। ତେବେ ଆୟକର ବିଭାଗକୁ ତଦନ୍ତରେ କମ୍ପାନି ସମସ୍ତ ପ୍ରକାର ସହଯୋଗ କରୁଛି। ପରିଚାଳନାଗତ ପ୍ରଦର୍ଶନ ଉପରେ ଆୟକର ଚଢ଼ଉର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କମ୍ପାନି କହିଛି। ବର୍ତ୍ତମାନ ପରିସ୍ଥିତିରେ କମ୍ପାନି ଏତିକି ସୂଚନା ଦେଇପାରିବ। ତଦନ୍ତ ଶେଷ ହେବା ପରେ କମ୍ପାନି ଏ ନେଇ ଅଧିକ ସୂଚନା ଷ୍ଟକ ଏକ୍ସଚେଞ୍ଜକୁ ପ୍ରଦାନ କରିପାରିବ ବୋଲି କହିଛି । ମ୍ୟାନକାଇଣ୍ଡ୍ ଫାର୍ମା ଉଚ୍ଚ ନୈତିକ ମୂଲ୍ୟବୋଧରେ ବିଶ୍ବାସ କରିଥାଏ ଏବଂ କର୍ପୋରେଟ୍ ଗଭର୍ଣ୍ଣାନ୍ସ ସଂକ୍ରାନ୍ତ ଆଇନ ପାଳନ କରିଥାଏ ବୋଲି କହିଛି।