ନୂଆଦିଲ୍ଲୀ : ଆମେରିକୀୟ ମ୍ୟୁଚୁଆଲ୍ ଫଣ୍ଡ୍ କଂପାନି ଫ୍ରାଙ୍କଲିନ୍ ଟେମ୍ପଲ୍ଟନ୍ର କିଛି ବର୍ତ୍ତମାନର ଓ ପୂର୍ବତନ ଅଧିକାରୀଙ୍କ ଠିକଣାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢ଼ଉ କରିଛି। ୨୦୨୦ ଏପ୍ରିଲ୍ରେ କଂପାନି ହଠାତ୍ ଏହାର ଛଅଟି ଡେବ୍ଟ ସ୍କିମ୍କୁ ବନ୍ଦ କରିଦେଇଥିଲା। ସେ ସଂକ୍ରାନ୍ତରେ ଏହି ଚଢ଼ଉ ହୋଇଛି। କଂପାନିର ମୁଖ୍ୟ ନିବେଶ ଅଧିକାରୀ ସନ୍ତୋଷ କାମାଥ୍, ପୂର୍ବତନ ବତରଣ ମୁଖ୍ୟ ବିବେକ କୁଡ୍ବା, ତାଙ୍କ ପତ୍ନୀ ରୁପା କୁଡ୍ବା, ଓମିଦ୍ୟାର ନେଟ୍ୱର୍କ ଇଣ୍ଡିଆ ଓ ପୂର୍ବତନ ସଭାପତି ସଞ୍ଜୟ ସାପ୍ରେଙ୍କ ମୁମ୍ବାଇ, ଦିଲ୍ଲୀ ଆଦି ସହରରେ ଥିବା ଠିକଣାଗୁଡ଼ିକରେ ଇଡି ଚଢ଼ଉ କରିଥିଲା।
୨୦୨୦ରେ ଛଅଟି ସ୍କିମ୍କୁ ବନ୍ଦ କରିବା ପଛର କାରଣ ବିଷୟରେ କଂପାନି କହିଥିଲା ଯେ କୋଭିଡ୍ ମହାମାରୀ ପ୍ରଭାବରୁ ନଗଦ ଅଭାବ ଦେଖାଦେଇଛି। ସେଥିପାଇଁ ସ୍କିମ୍ଗୁଡ଼ିକୁ ବନ୍ଦ କରିବାକୁ ଆମେ ବାଧ୍ୟ ହୋଇଛୁ। ଏହି ମାମଲାରେ ପ୍ରଘଟ ହେବା ପରେ କଂପାନିର କିଛି ଅଧିକାରୀଙ୍କୁ ଷ୍ଟକ ବଜାରରେ ପ୍ରବେଶ ବାରଣ କରାଯାଇଥିଲା। ସେବି ପକ୍ଷରୁ ବିଭିନ୍ନ ଲୋକଙ୍କ ଉପରେ ୭ କୋଟି ଜରିମାନା ଲାଗୁ କରାଯାଇଛି। ଏହି ମାମଲାରେ ଦୁଇ ବର୍ଷ ପୂର୍ବେ ସେବି ଯେଉଁ ରାୟ ଦେଇଥିଲେ ସେହି ଆଧାରରେ ଇଡି ଚଢ଼ଉ କରିଥିବା ଜଣାପଡ଼ିଛି। ତଦନ୍ତ ଏଜେନ୍ସିକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରାଯାଉଛି ବୋଲି ଫ୍ରାଙ୍କଲିନ୍ ଟେମ୍ପଲ୍ଟନ୍ ପକ୍ଷରୁ କୁହାଯାଇଛି। କଂପାନି ଉପରେ ସେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ବର୍ଷ ପର୍ଯ୍ୟନ୍ତ ନୂଆ ସ୍କିମ୍ ଉପରେ କଟକଣା ଲଗାଇଥିଲା। ନିୟାମକ ନିୟମ ଉଲ୍ଲଂଘନ କରିଥିବାରୁ ୫ କୋଟି ଟଙ୍କା ଜରିମାନା ଦେବାକୁ କୁହାଯାଇଥିଲା। ଏହା ବ୍ୟତୀତ ନିବେଶ ପରିଚାଳନା ଓ ଆଡଭାଇଜରି ଫି’ ଭାବେ କଂପାନି ସଂଗ୍ରହ କରିଥିବା ୫୧୨ କୋଟି ଟଙ୍କା ଫେରାଇବାକୁ ସେବି ନିର୍ଦେଶ ଦେଇଥିଲା। ସେବି ରାୟ ବିରୋଧରେ କଂପାନି ସିକ୍ୟୁରିଟି ଆପିଲିଟ୍ ଟ୍ରିବ୍ୟୁନାଲ୍ରେ ଆବେଦନ କରି ଅନ୍ତରୀଣ ଆଶ୍ବସ୍ତି ପାଇଛି।