ୟେସ୍‌ ବ୍ୟାଙ୍କ୍‌ର ସଂସ୍ଥାପକ ରାଣା କପୁରଙ୍କ ଓ୍ଵର୍ଲିସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ାଉ

ନୂଆଦିଲ୍ଲୀ: ଶୁକ୍ରବାର ରାତିରୁ ପ୍ରବର୍ତ୍ତନ ନିର୍ଦେଶାଳୟ ୟେସ୍‌ ବ୍ୟାଙ୍କ୍‌ର ସଂସ୍ଥାପକ ରାଣା କପୁରଙ୍କ ମୁମ୍ବାଇର ଓ୍ଵର୍ଲିସ୍ଥିତ ‘ସମୁଦ୍ର ମହଲ’ ବାସଭବନରେ ଚଢ଼ାଉ ଆରମ୍ଭ କରିଛି। ‘ଅପ୍‌ ପାଓ୍ଵାର୍‌ କର୍ପୋରେସନ୍‌’ର ଭବିଷ୍ୟନିଧି ପାଣ୍ଠି ବିନିଯୋଗ ବିଷୟକୁ ନେଇ ‘ଦିଓ୍ଵାନ ହାଉସିଂ ଫାଇନାନ୍‌ସ୍‌ କର୍ପୋରେସନ୍‌’ ବିରୋଧରେ ବିରୋଧରେ ‘ପିଏମ୍‌ଏଲ୍‌ଏ’ ଚାଲିଥିଲା। ଏଥିପାଇଁ କପୁରଙ୍କ ଘର ତଲାସ କରାଯାଉଛି ବୋଲି ଜଣାପଡ଼ିଛି।

ରିୟଲିଟି ଫାର୍ମ ‘ଦିଓ୍ଵାନ ହାଉସିଂ ଫାଇନାନ୍‌ସ୍‌ କର୍ପୋରେସନ୍‌’କୁ (ଡିଏଚ୍‌ଏଫ୍‌ଏଲ୍‌) ୟେସ୍‌ ବ୍ୟାଙ୍କ୍‌ ଯୋଗାଇଥିବା ଋଣ ସଂକ୍ରାନ୍ତରେ ତାଙ୍କୁ ମଧ୍ୟ ପଚରାଉଚୁରା କରାଯାଉଛି। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ‘ଡିଏଚ୍‌ଏଫ୍‌ଲ୍‌’କୁ ୟେସ୍‌ ବ୍ୟାଙ୍କ୍‌ କୋଟି କୋଟି ଟଙ୍କା ଋଣ ଦେଇଥିଲା ଯାହା ପରବର୍ତ୍ତୀ ସମୟରେ ‘ନନ୍‌ ପର୍ଫମିଙ୍ଗ୍‌ ଆସେଟ୍‌’ରେ ପରିଣତ ହୋଇଯାଇଥିଲା। ଫଳରେ ୟେସ୍‌ ବ୍ୟାଙ୍କ୍‌ର କ୍ଷତି ବଢ଼ି ଚାଲିଥିଲା।

Image Source: Hindustan Times

ମିଳିଥିବା ସୂଚନା ଅନୁସାରେ, ୭୯ ବେନାମି କମ୍ପାନି ଓ ଏକ ଲକ୍ଷ ବେନାମି ଗ୍ରାହକଙ୍କ ନାମରେ ୟେସ୍‌ ବ୍ୟାଙ୍କ୍‌ର ୧୩, ୦୦୦ କୋଟି ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି।

ଚଢ଼ାଉ ସମୟରେ ରାଣା କପୁର ଘରେ ଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। କିନ୍ତୁ, କାଳେ ସେ କୌଣସି ପରିସ୍ଥିତିରେ ଦେଶ ଛାଡ଼ି ଚାଲିଯିବେ, ସେଥିପାଇଁ ବନ୍ଦର ଓ ବିମାନବନ୍ଦରରେ ସତର୍କତା ଜାରି କରାଯାଇଛି।

ସମ୍ବନ୍ଧିତ ଖବର