ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ରାଉତ ଇଡି ହେପାଜତକୁ ଗଲେ; ଅଗଷ୍ଟ ୪ ପର୍ଯ୍ୟନ୍ତ ରହିବେ, ଘର ଖାଦ୍ୟ ଖାଇବେ

ମୁମ୍ବାଇ: ପତ୍ରା ‘ଚଲ୍‌’ ଜମି ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଜେରା କରିବା ପରେ ଗତରାତିରେ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିବା ବେଳେ ଅଗଷ୍ଟ ୪ ପର୍ଯ୍ୟନ୍ତ ସଞ୍ଜୟ ରାଉତଙ୍କୁ ଇଡିର ହେପାଜତକୁ ପଠାଯାଇଥିବା ଜଣାପଡ଼ିଛି।

ଶୁଣାଣି ସମୟରେ ବିଚାରପତି କହିଥିଲେ ଯେ, “ବର୍ତ୍ତମାନ ପର୍ଯ୍ୟନ୍ତ ହେଇଥିବା ଯାଞ୍ଚ ଏବଂ ସେଥିରୁ ମିଳିଥିବା ତଥ୍ୟକୁ ଦୃଷ୍ଟିରେ ରଖି ମୁଁ ଏହି ରାୟ ଶୁଣାଉଛି ଯେ ଅଭିଯୁକ୍ତଙ୍କୁ ଇଡି ହେପାଜତକୁ ନିଆଯିବା ଉଚିତ୍। କିନ୍ତୁ ମୁଁ ୮ଦିନର ହେପାଜତକୁ ମଞ୍ଜୁରୀ ଦେବି ନାହିଁ। ତେଣୁ ଅଭିଯୁକ୍ତଙ୍କୁ ୪ଦିନ ପାଇଁ ଇଡିର ହେପାଜତକୁ ପଠାଉଛି।’’

ଇଡି ହେପାଜତରେ ରାଉତଙ୍କୁ ଘରୋଇ ଖାଦ୍ୟ ଏବଂ ଔଷଧ ଦେବା ପାଇଁ ଅନୁମତି ଦିଆଯାଇଛି। କୋର୍ଟ କହିଛନ୍ତି ଯେ ଶିବସେନା ନେତାଙ୍କ ଅସୁସ୍ଥତାକୁ ଦୃଷ୍ଟିରେ ରଖି ଆବଶ୍ୟକ ଚିକିତ୍ସା ଏବଂ ପଚରାଉଚରାର ସମୟ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

ଉ‌ଲ୍ଲେଖଯୋଗ୍ୟ, ରବିବାର ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ଘରେ ଚଢ଼ାଉ କରି ଦୀର୍ଘ ସମୟ ଧରି ତଲାସ କରିଥିଲା। ତଲାସ ସମୟରେ ତାଙ୍କ ଘରୁ ତଦନ୍ତକାରୀ ଅଧିକାରୀମାନେ ନଗଦ ୧୧.୫୦ ଲକ୍ଷ ଟଙ୍କା ଜବତ କରିଥିଲେ। ଏହା ପରେ ସନ୍ଧ୍ୟା ୭ଟା ବେଳକୁ ରାଉତଙ୍କୁ ଜେରା କରାଯାଇଥିଲା। ଦୀର୍ଘ ସମୟ ଜେରା କରିବା ପରେ ଗତରାତିରେ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା।

ସଞ୍ଜୟଙ୍କୁ ଗିରଫ କରାଯିବା ପରେ ତାଙ୍କ ଭାଇ ସୁନୀଲ କହିଥିଲେ, ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କୁ ଭୟ କରୁଛି। ସେଥିପାଇଁ ହିଁ ତାଙ୍କୁ ଗିରଫ କରିଛି। ସେମାନେ ପାଇଥିବା ଦଲିଲ ସବୁ ଜାଲ୍‌। ପତ୍ରା ‘ଚଲ୍‌’ ମାମଲାରେ ସଞ୍ଜୟ ରାଉତଙ୍କୁ ସଂଶ୍ଳିଷ୍ଟ କରାଯିବାର କୌଣସି କାରଣ ନାହିଁ।

ସମ୍ବନ୍ଧିତ ଖବର