ଅଜିତ୍ ପାୱାରଙ୍କ ଅଡ଼ୁଆ ବଢ଼ିଲା, ପତ୍ନୀଙ୍କ ୬୬ କୋଟି ମୂଲ୍ୟର ଚିନିକଳ ଜବତ କଲା ଇଡି

ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥ୍ୟ ଏନ୍‌ସିପିର ବରିଷ୍ଠ ନେତା ଅଜିତ୍‌ ପାୱାରଙ୍କ ଅଡ଼ୁଆ ବଢ଼ିଯାଇଛି। ତାଙ୍କ ପତ୍ନୀଙ୍କ ନାମରେ ଥିବା ୬୫.୭୫ କୋଟି ଟଙ୍କା ମୂଲ୍ୟର ଚିନିକଳକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି। ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ପାୱାରଙ୍କ ପରିବାର ମାଲିକାନାରେ ଥିବା ଏହି ଚିନିକଳ ସଂପତ୍ତିକୁ ଜବତ କରାଯାଇଛି। ଏହି ସଂପତ୍ତି ମଧ୍ୟରେ କଂପାନୀର ଜମି, କୋଠା, ମେସିନ ଆଦି ରହିଛି। କୋରେଗାଓଁର ଚିମନଗାଓଁରେ ଏହି କାରଖାନା ରହିଛି।

ଅନ୍ୟପକ୍ଷରେ ଅଜିତ୍ ପାୱାର କହିଛନ୍ତି ତାଙ୍କୁ ଏ ନେଇ ଇଡି ପକ୍ଷରୁ କୌଣସି ନୋଟିସ ଆସିନାହିଁ। ତେଣୁ ସେ ବିଷୟରେ କିଛି ଜାଣନ୍ତି ନାହିଁ। ଇଡି ପକ୍ଷରୁ କୁହାଯାଇଛି ମେସର୍ସ ଗୁରୁ ‌କମୋଡିଟି ସର୍ଭିସ ପ୍ରାଇଭେଟ ନାମରେ ଥିବା ସଂପତ୍ତିକୁ ଜବତ କରାଯାଇଛି। ଏସବୁ ସଂପତ୍ତି ମେସର୍ସ ଜାରଣ୍ଡେଶ୍ବର ସମବାୟ ଚିନିକଳକୁ ଲିଜ୍‌ ସୂତ୍ରରେ ଦିଆଯାଇଛି। ତେବେ ଏହି ଚିନିକଳର ଅଧିକାଂଶ ମାଲକାନା ସ୍ପାର୍କଲିଙ୍ଗ୍ ସାୟସ୍ ପ୍ରାଇଭେଟ ଲିମଟେଡ୍‌ ନିକଟରେ ରହିଛି। ଉକ୍ତ କମ୍ପାନିର ସଂପର୍କ ଅଜିତ ପାୱାର ଓ ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କ ସହିତ ରହିଛି। ୨୦୧୦ରେ ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଏକ ଏତଲା ଦେଇଥିଲା। ସେହି ଏତଲା ଆଧାରରେ ଇଡି ମନି ଲଣ୍ଡରିଂ ମାମଲା ପଞ୍ଜୀକୃତ କରିବା ସହିତ ତଦନ୍ତ ଚଳାଇଛି। ଏଥିସହିତ ଜାର‌ଣ୍ଡେଶ୍ବର ସମବାୟ ଚିନିକଳକୁ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ୨୦୧୦ରେ ନିଲାମ କରିଥିଲା ବୋଲି ଇଡି କହିଛି।

ସମ୍ବନ୍ଧିତ ଖବର