କବିତାଙ୍କ ମାମଲାରେ ଇଡିର କାଭିଏଟ ଦାଖଲ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିଆର୍‌ଏସ୍ ନେତ୍ରୀ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ଝିଅ କେ କବିତାଙ୍କୁ ଜେରା ପାଇଁ ସମନ ଜାରି କରିଥିବା ବେଳେ କବିତା ଏହା ବିରୋଧରେ ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସୁପ୍ରିମ୍‌କୋର୍ଟ କବିତାଙ୍କ ଆବେଦନର ଶୁଣାଣି ମାର୍ଚ୍ଚ ୨୪ ତାରିଖରେ କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଇଡି ତା’ ପୂର୍ବରୁ ସୁପ୍ରିମ୍‌କୋର୍ଟରେ ହାଜର ହୋଇ କବିତାଙ୍କ ସପକ୍ଷରେ କୌଣସି ରାୟ ଦେବା ପୂର୍ବରୁ ତାଙ୍କ ଯୁକ୍ତି ମଧ୍ୟ ଶୁଣିବାକୁ ଆବେଦନ କରିଛି ବା କାଭିଏଟ୍ ଦାଖଲ କରିଛି।

ଗୁରୁବାର ଇଡି କବିତାଙ୍କୁ ଜେରା କରିବା ପାଇଁ ସମନ ଜାରି କରିଥିଲା କିନ୍ତୁ ସୁପ୍ରିମ୍‌କୋର୍ଟରେ ତାଙ୍କ ଆବେଦନ ବିଚାରାଧୀନ ରହିଥିବା ଆଳ ଦେଖାଇ କବିତା ଏହାକୁ ଏଡ଼ାଇ ଯାଇଥିଲେ। ଶୁଣାଣି ତାରିଖ ମାର୍ଚ୍ଚ ୨୪ ପରକୁ ଘୁଞ୍ଚାଇବାକୁ କବିତା ଇଡିକୁ ଅନୁରୋଧ କରିଥିବା ବେଳେ ଇଡି ଏହାକୁ ଅଗ୍ରାହ୍ୟ କରି ମାର୍ଚ୍ଚ ୨୦ ତାରିଖରେ ତାଙ୍କୁ ହାଜର ହେବା ପାଇଁ ପୁନଶ୍ଚ ସମନ ଜାରି କରିଛି।

ସମ୍ବନ୍ଧିତ ଖବର