ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ହରିୟାଣାର ଏକ ଜମି ହଡ଼ପ ମାମଲାରେ ୱାୟନାଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ଜେରା କରିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭିଣୋଇ ଭଦ୍ରା ଆଜି ତାଙ୍କ ବାସଭବନରୁ ସମର୍ଥକଙ୍କ ସହ ଚାଲିଚାଲି ଇଡି ଅଫିସକୁ ଯାଇଥିଲେ। ଏହି ସମୟରେ ଭଦ୍ରାଙ୍କ ସମର୍ଥକମାନେ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ। ଇଡି ଭଦ୍ରାଙ୍କୁ ପ୍ରାୟ ୩ ଘଣ୍ଟା ଜେରା କରିଥିବା ଜଣାପଡ଼ିଛି। ସାମ୍ବାଦିକଙ୍କୁ ଭଦ୍ରା କହିଛନ୍ତି, ସରକାର ତାଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛନ୍ତି।

Advertisment

ସେ କହିଛନ୍ତି, ଯେତେବେଳେ ବି ମୁଁ ଲୋକଙ୍କ କଥା କହୁଛି, ସଂଖ୍ୟାଲଘୁଙ୍କ କଥା‌ କହୁଛି ଏବଂ ସରକାରଙ୍କ ଅପାରଗତା କଥା‌ କହୁଛି ଏବଂ ଏପରିକି ମୁଁ ରାଜନୀତିରେ ଯୋଗ ଦେବା କଥା ଚିନ୍ତା କରୁଛି ସେତେବେଳେ ସେମାନେ ମୋ ବିରୋଧରେ ତଦନ୍ତକାରୀ ସଂସ୍ଥା ବ୍ୟବହାର କରୁଛନ୍ତି। ଏହି ମାମଲାରେ କିଛି ନୂଆ‌ ନାହିଁ। ମୋତେ ଏହି ମାମଲା‌ରେ ୧୫ ଥର ସମନ କରାଗଲାଣି ଏବଂ ପ୍ରତିଥର ମତେ ୧୦ ଘଣ୍ଟାରୁ ଅଧିକ ସମୟ ଜେରା ପାଇଁ ରଖାଯାଉଛି।  ସେମାନେ  ପୁଣିଥରେ ସମାନ କାଗଜପତ୍ର ମାଗୁଛନ୍ତି। ଜେରା ପୂର୍ବରୁ ଭଦ୍ରା କହିଥିଲେ ଏହା ହେଉଛି ପ୍ରତିଶୋଧମୂଳକ ରାଜନୀତି।