ରବର୍ଟ ଭଦ୍ରାଙ୍କୁ ହାଜତ ଭିତରେ ଜେରା କରିବା ପାଇଁ ସ୍ୱତନ୍ତ୍ର ସିବିଆଇ ଅଦାଲତଙ୍କୁ ଅନୁମତି ମାଗିଲା ଇଡି

ନୂଆଦିଲ୍ଲୀ: ରବର୍ଟ ଭଦ୍ରାଙ୍କୁ ଗିରଫ କରି ହାଜତ ଭିତରେ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ସ୍ୱତନ୍ତ୍ର ସିବିଆଇ ଅଦାଲତଙ୍କ ଅନୁମତି ମାଗିଛି। ଇଡି ପକ୍ଷରୁ ସ୍ୱତନ୍ତ୍ର ସିବିଆଇ ଅଦାଲତଙ୍କୁ କୁହାଯାଇଛି ଯେ ଜେରା କାଳରେ ରବର୍ଟ ଭଦ୍ରା ଇଡି ଅଧିକାରୀମାନଙ୍କ ସହ ଆଦୌ କୌଣସି ପ୍ରକାରର ସହଯୋଗ କରୁ ନାହାନ୍ତି। ତେଣୁ, ତାଙ୍କୁ ହାଜତକୁ ନେଇ ଜେରା କରିବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ରବର୍ଟ ଭଦ୍ରା ମନି ଲଣ୍ଡରିଂ ଜରିଆରେ ଲଣ୍ଡନରେ ୧.୯ ମିଲିୟନ ପାଉଣ୍ଡ ମୂଲ୍ୟର ସଂପତ୍ତି କ୍ରୟ କରିଥିବା ଅଭିଯୋଗ ଉପରେ ଇଡି ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।

ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ଅରବିନ୍ଦ କୁମାରଙ୍କୁ ଇଡି ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ଡି ପି ସିଂହ କହିଛନ୍ତି ଯେ ରବର୍ଟ ଭଦ୍ରାଙ୍କୁ ସବୁ ରକମର ସୁବିଧା ଦିଆଗଲେ ମଧ୍ୟ ସେ ତଦନ୍ତରେ ଆଦୌ ସହଯୋଗ କରୁ ନାହାନ୍ତି। ଏଥିପାଇଁ ତାଙ୍କୁ ଅନେକ ସୁଯୋଗ ଦିଆଯାଇ ବହୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସବୁ ଚେଷ୍ଟା ବୃଥା ଯାଇଛି।

ପୂର୍ବରୁ ରବର୍ଟ ଭଦ୍ରା ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ବେଳେ ଇଡି ପକ୍ଷରୁ ତାହାକୁ ବିରୋଧ କରା ଯାଇଥିଲା। ଇତି ମଧ୍ୟରେ ରବର୍ଟ ଭଦ୍ରା ବିଦେଶରେ ମନି ଲଣ୍ଡରିଂ କାରବାରରେ ସଂପୃକ୍ତ ଥିବା ନେଇ ଇ-ମେଲ୍‌ ସମେତ ଅନ୍ୟ ବହୁ ପ୍ରମାଣ ଇଡି ପାଇଥିବା ସ୍ୱତନ୍ତ୍ର ସରକାରୀ ଓକିଲ ଡି ପି ସିଂହ ଅଦାଲତଙ୍କୁ କହିଛନ୍ତି।

ତେବେ, ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ଅରବିନ୍ଦ କୁମାର ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ମାର୍ଚ୍ଚ ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର