୧୭ ପର୍ଯ୍ୟନ୍ତ ୟେଦୁରପ୍ପା ଗିରଫ ହୋଇ ପାରିବେନି: ହାଇକୋର୍ଟ

ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଗିରଫ ପାଇଁ ଯୋଜନା ହୋଇଥିଲା: ବିଜେପି

ନୂଆଦିଲ୍ଲୀ: ଏକ ‌ଶିଶୁ ଯୌନ ନିର୍ଯାତନା ମାମଲାରେ ବିଚାରଣ ସାମ୍ନା କରୁଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ଆଜି କର୍ଣ୍ଣାଟକ ହାଇକୋର୍ଟ ଗିରଫରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଆସନ୍ତା ଜୁନ୍‌ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ ୟେଦୁରପ୍ପା ଗିରଫ ହୋଇପାରିବେନି ବୋଲି ହାଇକୋର୍ଟ କହିଛନ୍ତି। ଆଜି ୟେଦୁରପ୍ପାଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ଜଷ୍ଟିସ ଏସ୍‌ କ୍ରୀଷ୍ଣା ଦିକ୍ଷିତ ୟେଦୁରପ୍ପାଙ୍କ ଗିରଫ ଆବଶ୍ୟକତା ଉପରେ ପ୍ରଶ୍ନ କରିଥିଲେ ଏବଂ କହିଥିଲେ, ସେ କୌଣସି ମାମୁଲି ବ୍ୟକ୍ତି ନୁହନ୍ତି ଯେ ଦେଶ ଛାଡ଼ି ପଳାଇବେ। ‌ ପୋକ୍‌ସୋ ମାମଲାରେ ଗତକାଲି ୟେଦୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ବେଳେ ଆଜି କୋର୍ଟ ୟେଦୁରପ୍ପାଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ୟେଦୁରପ୍ପାଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ଫେବ୍ରୁଆରିରେ ୟେଦୁରପ୍ପା ତାଙ୍କ ବେଙ୍ଗାଲୁରୁ ସ୍ଥିତ ଡଲାର୍ସ କଲୋନି ବାସଭବନରେ ତାଙ୍କ ୧୭ ବର୍ଷୀୟ ନାବାଳିକା ଝିଅକୁ ଯୌନ ନିର୍ଯାତନା ଦେଇଥିଲେ। ଏନେଇ ୟେଦୁରପ୍ପାଙ୍କ ବିରୋଧରେ ପୋକ୍‌ସୋ ଏବଂ ଆଇପିସିର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଧାରା ଅଧୀନରେ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ, ୟେଦୁରପ୍ପା ଏହି ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିବା ସହ ତାଙ୍କ ବିରୋଧରେ ଏହି ମାମଲାରେ ରୁଜୁ କରାଯାଇଥିଲା। ୟେଦୁରପ୍ପା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଏହି ‘ଷଡ଼୍‌ଯନ୍ତ୍ର’ର ଆଇନଗତ ମୁକାବିଲା କରିବେ ବୋଲି କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗିରଫ କରିବା ପାଇଁ ଯୋଜନା କରାଯାଇଥିବା ବିଜେପି ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ‌ରହିଛି।

ସମ୍ବନ୍ଧିତ ଖବର