କମିବ ଖାଇବା ତେଲ ଦର ; ଆମଦାନୀ ଉପରେ ସରକାର ଛାଡ଼ କଲେ ଟିକସ

ନୂଆଦିଲ୍ଲୀ : ଦେଶରେ ଖାଇବା ତେଲର ଉପଲବ୍ଧତା ବଢାଇବାକୁ ଓ ଦର ହ୍ରାସ କରିବାକୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ନେଇଛନ୍ତି । ବର୍ଷକୁ ୨୦ ଲକ୍ଷ ଟନ ପର୍ଯ୍ୟନ୍ତ ସୋୟାବିନ ଓ ସୂର୍ଯ୍ୟମୁଖୀ ତୈଳ ଆମଦାନୀ ଉପରେ ସୀମା ଶୁଳକ ଓ କୃଷି ଭିତ୍ତିଭୂମି ସେସ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଶୁଳ୍କମୁକ୍ତ ସୋୟାବିନ ଓ ସୂର୍ଯ୍ୟମୁଖୀ ତୈଳ ଆମଦାନୀ ଦୁଇବର୍ଷ ପାଇଁ ଲାଗୁ ହେବ । ଏହି ଦୁଇଟି ବର୍ଷ ହେଲା ୨୦୨୨-୨୩ ଓ ୨୦୨୩-୨୪ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶରେ ଖାଇବା ତେଲ ଦର କମିବା ସହ ତାହା ମୁଦ୍ରାସ୍ପୀତି ନିୟନ୍ତ୍ରଣ କ୍ଷେତ୍ରରେ ସହାୟକ ହେବ ।

ୟୁକ୍ରେନ ଯୁଦ୍ଧ ଫଳରେ ବିଶ୍ବ ବଜାରରେ ସୂର୍ଯ୍ୟମୁଖୀ ତେଲର ଦର ବୃଦ୍ଧି ପାଇଛି । ସେହିପରି ମାଲେସିଆର ରପ୍ତାନି କଟକଣା ଯୋଗୁଁ ପାମୋଲିନ ତେଲ ଦର ବୃଦ୍ଧି ପାଇଛି ।

ବଢିଚାଲିଥିବା ମୁଦ୍ରାସ୍ପୀତି ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ ସପ୍ତାହରେ ମୁଦ୍ରାସ୍ପୀତି ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳକ ୮ ଟଙ୍କା କମାଇଥିବାବେଳେ ଡିଜେଲ ଉପରୁ ୬ ଟଙ୍କା ହ୍ରାସ କରିଥିଲେ । ଏହା ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା ହ୍ରାସ ପାଇଥିଲା । ସେହିପରି ସିମେଣ୍ଟ, ଲୁହା ଓ ପ୍ଲାଷ୍ଟିକ ସାମଗ୍ରୀ ଉପରେ ବି ଶୁଳକ ହ୍ରାସ କରାଯାଇଥିଲା । ସେହିପରି ରିଜର୍ଭ ବ୍ୟାଙ୍କ ଗତ ୪ ତାରିଖରେ ସୁଧହାର ବଢାଇଥିଲେ ।

 

ସମ୍ବନ୍ଧିତ ଖବର