ମହିଳା ଦିବସରେ ସମ୍ବାଦପତ୍ରର ସଂପାଦିକା ଓ ପ୍ରକାଶିକାଙ୍କୁ ନ୍ୟାୟାଳୟର ଅବମାନନା ମାମଲାରେ ମେଘାଳୟ ଉଚ୍ଚ ନ୍ୟାୟଳୟ ଦେଲେ ଏହି ଦଣ୍ଡାଦେଶ

ଇଂଫାଲ୍ : ମେଘାଳୟ ଉଚ୍ଚ ନ୍ୟାୟଳୟ ଉତ୍ତର-ପୂର୍ବର ଏକ ଜଣାଶୁଣା ସମ୍ବାଦପତ୍ରର ସଂପାଦକ ଓ ପ୍ରକାଶକଙ୍କୁ ନ୍ୟାୟାଳୟର ଅବମାନନା ମାମଲାର ଶୁଣାଣି କରିଥିଲେ । ସଂପାଦକ ଓ ପ୍ରକାଶକ ହେଉଛନ୍ତି ମହିଳା। ଏ ଦୁଇ ମହିଳାଙ୍କୁ ଦୁଇ ଲକ୍ଷ ଟଙ୍କାର ଜରିମାନା ଏକ ସପ୍ତାହ ଭିତରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାହା ନ କରିଲେ ଛଅ ମାସ କାରାଦଣ୍ଡ ଓ ସମ୍ବାଦପତ୍ର ଉପରେ ନିଷେଧାଜ୍ଞା ଜାରି କରିବାର ଦଣ୍ଡାଦେଶ ଦେଇଛନ୍ତି ନ୍ୟାୟାଳୟ।

ପ୍ରାପ୍ତ ସୂଚନା ଅନୁଯାୟୀ ସିଲଙ୍ଗ୍‌ ଟାଇମ୍‌ସରେ ଗତ ବର୍ଷ ଡିସେମ୍ବର ୬ ଓ ୧୦ ତାରିଖରେ ପ୍ରକାଶିତ ଏକ ଲେଖା ସଂପର୍କରେ ନ୍ୟାୟାଳୟ ଖବରକାଗଜର ପ୍ରକାଶିକା ଶୋଭା ଚୌଧୁରୀ ଓ ସଂପାଦିକା ପେଟ୍ରିସିୟା ମୁଖିମଙ୍କ ବିରୁଦ୍ଧରେ ନ୍ୟାୟାଳୟରେ ଅବମାନନା ମାମଲା ରୁଜ୍ଜୁ ହୋଇଥିଲା। ଏହି ଲେଖାରେ ଜଣେ ଅବସରପ୍ରାପ୍ତ ବିଚାରପତି ଓ ତାଙ୍କ ପରିବାର ଲୋକଙ୍କୁ ଅଧିକ ସୁବିଧା ଦେବା ପାଇଁ ନ୍ୟାୟାଳୟର ଆଦେଶ ଦିଆଯାଇଥିଲା ବୋଲି ଲେଖାଯାଇଥିଲା, ଯାହାକୁ ନ୍ୟାୟାଳୟରେ ଚାଲେଂଜ୍ କରାଯାଇଥିଲା।

ଜଷ୍ଟିସ୍‌ ମହମ୍ମଦ ୟାକୁବ୍‌ ମୀର ଓ ଏସ୍‌ ଆର୍‌ସେନ୍‌ଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏଭଳି ଦଣ୍ଡାଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ୧୯୪୫ରୁ ପ୍ରକାଶିତ ସମ୍ବାଦପତ୍ର ସିଲଙ୍ଗ ଟାଇମ୍‌ସ ମେଘାଳୟରୁ ପ୍ରକାଶିତ ସର୍ବ ପୁରାତନ ଇଂରାଜି ଦୈନିକ।

ସମ୍ବନ୍ଧିତ ଖବର