ନୂଆଦିଲ୍ଲୀ: ଭାରତର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ଏଜୁକେଟ୍‌ ଗାର୍ଲସ୍‌ ଗ୍ଲୋବାଲି’ ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ୨୦୨୫ ରମଣ ମାଗ୍‌ସେସେ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛି।  ରାଜସ୍ଥାନରୁ ଆରମ୍ଭ ହୋଇ ଦେଶର ଦୂରଦୂରାନ୍ତ ଗାଁରେ ଝିଅମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଏହି ସଂଗଠନର ଅବଦାନକୁ ଏବେ ଅନ୍ତର୍ଜାତୀୟସ୍ତରରେ ସମ୍ମାନିତ କରାଯାଇଛି। ୨୦୦୭ରେ ଲଣ୍ଡନ ସ୍କୁଲ ଅଫ୍‌ଇକୋନୋମିକ୍ସର ସ୍ନାତକ ସାଫିନା ହୁସେନଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସଂଗଠନ ୧୧ ଲକ୍ଷରୁ ଅଧିକ ଝିଅଙ୍କୁ ଶିକ୍ଷା ପ୍ରଦାନ କରିଛି ଏବଂ ୧.୫୫ କୋଟିରୁ ଅଧିକ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି।

Advertisment

ରମଣ ମାଗ୍‌ସେସେ ପୁରସ୍କାର ଫାଉଣ୍ଡେସନ୍‌ (ଆର୍‌ଏମ୍‌ଏଏଫ୍‌) ଅନୁଯାୟୀ, ‘ଏଜୁକେଟ୍‌ ଗାର୍ଲସ୍‌’ ରୁଢ଼ିବାଦୀ ଧାରଣାକୁ ଦୂର କରି ଝିଅମାନଙ୍କୁ ଶିକ୍ଷା ମାଧ୍ୟମରେ ସଶକ୍ତ କରିଛି। ଏହା ଝିଅମାନଙ୍କୁ ନିରକ୍ଷରତାରୁ ମୁକ୍ତ କରି ଉଚ୍ଚ ଶିକ୍ଷା ଓ ରୋଜଗାର ପାଇଁ ଦକ୍ଷତା ଓ ସାହସ ଯୋଗାଇଛି।   ୨୦୨୫ର ଅନ୍ୟ ବିଜେତାମାନଙ୍କ ମଧ୍ୟରେ ମାଳଦ୍ୱୀପର ସାହିନା ଅଲୀ (ପରିବେଶ ସଂରକ୍ଷଣ) ଏବଂ ଫିଲିପାଇନ୍ସର ଫ୍ଲାଭିଆନୋ ଆଣ୍ଟୋନିଓ ଏଲ. ଭିଲାନୁଏଭା (ଗରିବଙ୍କ କଲ୍ୟାଣ) ସାମିଲ ଅଛନ୍ତି। ପୁରସ୍କାର ବିତରଣ ସମାରୋହ ଚଳିତ ବର୍ଷ ନଭେମ୍ବର ୭ ତାରିଖରେ  ମାନିଲାର ମେଟ୍ରୋପଲିଟାନ୍‌ ଥିଏଟର୍‌ରେ ଅନୁଷ୍ଠିତ ହେବ। ସେଠାରେ ବିଜେତାମାନେ ମେଡାଲ, ପ୍ରମାଣପତ୍ର ଓ ନଗଦ ପୁରସ୍କାର ଗ୍ରହଣ କରିବେ। ‘ଏଜୁକେଟ୍‌ ଗାର୍ଲସ୍‌’ର ସଫଳତା ଭାରତୀୟ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ଏବଂ ଝିଅମାନଙ୍କ ସଶକ୍ତୀକରଣ ପାଇଁ ଏହାର ନିରନ୍ତର ପ୍ରୟାସକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେଇଛି।