ଶିକ୍ଷା ଓ ଅର୍ଥନୀତି: ପାଠପଢା ଅଟକିବନି, ସିଲାବସ୍‌ କମାଇଲେ ଛାତ୍ରଛାତ୍ରୀ ପ୍ରଭାବିତ ହେବେ

କରୋନା ସଙ୍କଟ ପ୍ରଭାବରେ ସାରା ବିଶ୍ବରେ ସ୍କୁଲ କଲେଜଗୁଡ଼ିକ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ପରୀକ୍ଷା ବାତିଲ କରିବାକୁ ପଡ଼ିଛି। କିନ୍ତୁ ଏଭଳି ସଙ୍କଟ ସତ୍ତ୍ବେ ପିଲାମାନଙ୍କ ଭବିଷ୍ୟତ ଗଢ଼ୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ହାତରେ ହାତ ବାନ୍ଧି ବସିନାହାନ୍ତି। ବିଭିନ୍ନ ଉପାୟ ଅବଲମ୍ବନ କରି ପିଲାଙ୍କୁ ପାଠପଢ଼ାଇବା ଜାରି ରଖିଛନ୍ତି। ଶିକ୍ଷା ବ୍ୟବସ୍ଥାର ଯେଉଁ ରଥ ଆଜି ପର୍ଯ୍ୟନ୍ତ ଅଟକି ନଥିଲା ତାହାକୁ ସେମାନେ ଅଟକାଇବାକୁ ଦେଇନାହାନ୍ତି। ହ୍ବାଟସ୍‌ଆପ୍, ଜୁମ୍ ଆପ୍, ୟୁଟ୍ୟୁବ୍ ଭିଡ଼ିଓ ଆଦିକୁ ବ୍ୟବହାର କରି ସେମ‌ାନେ ପିଲାମାନଙ୍କୁ ପାଠପଢ଼ାଇବା ଜାରି ରଖିଛନ୍ତି। କରୋନା ସଙ୍କଟ ପରେ ଶିକ୍ଷା ବ୍ୟବସ୍ଥାରେ ଘଟିଥିବା ପରିବର୍ତ୍ତନ ଏବଂ ଏହାର ମୁକାବିଲା ଲାଗି ଶିକ୍ଷାନୁଷ୍ଠାନଗୁଡ଼ିକ ଗ୍ରହଣ କରିଥିବା ପଦକ୍ଷେପ ଓ ସେମାନଙ୍କ ଭବିଷ୍ୟତ ଯୋଜନାକୁ ନେଇ ଆମର ଏହି ଉପସ୍ଥାପନା
ସାକ୍ଷାତକାର: କେଶବ ପାଣି, ପ୍ରଭାତ ପଟ୍ଟନାୟକ

ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷା ଘୁଞ୍ଚିବା ଦ୍ବାରା ପରୀକ୍ଷାର୍ଥୀ କେତେ ପ୍ରଭାବିତ ହେବେ?
ନକରାତ୍ମକ ଦୃଷ୍ଟିରେ ନେଲେ ବହୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେ‌ବେ। ତେବେ ମୋ ବିଚାରରେ ଛାତ୍ରଛ‌ାତ୍ରୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଯେଉଁମାନେ ଠିକ୍‌ ଭାବେ ପ୍ରସ୍ତୁତ କରିପାରି ନ ଥିଲେ ଏବେ ସେମାନଙ୍କ ଲାଗି ସମୟ ମିଳିବ। ଯେଉଁମାନେ ପ୍ରସ୍ତୁତ ହୋଇ ରହିଥିଲେ, ସେମାନେ ଭଲ ରୢାଙ୍କ ଓ ଭଲ କଲେଜରେ ପଢ଼ିବା ଲାଗି ନିଜକୁ ପ୍ରସ୍ତୁତ କରିପାରିବେ। ପ୍ରତିକୂଳ ପରିସ୍ଥିତିରେ ବି ଯେଉଁମାନେ ସୁଯୋଗର ସଦ୍‌ଉପଯୋଗ କରନ୍ତି ସେମାନେ ହିଁ ପ୍ରକୃତ ବୁଦ୍ଧିମାନ।

ଶିକ୍ଷାବର୍ଷ ବିଳମ୍ବରେ ଆରମ୍ଭ ହେଉଥିବାରୁ ପାଠ୍ୟଖସଡ଼ାରେ କିଛି ପରିବର୍ତନର ଆବଶ୍ୟକତା ରହିଛି କି?
ସିଲାବସ୍‌କୁ କମାଇବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କାମ ଆରମ୍ଭ କରିଦେଇଛି। କିଛି ବିଷୟକୁ କଟାଯିବ। ପିଲାମାନେ ଯେପରି ଅସୁବିଧା ନ ଭୋଗନ୍ତି ସେଦିଗରେ ବି ମନ୍ତ୍ରଣାଳୟ ପଦକ୍ଷେପ ନେଉଛି। ଏହାଦ୍ବାରା ଛାତ୍ରଛାତ୍ରୀ କିଛି ମାତ୍ରାରେ ପ୍ରଭାବିତ ହୋଇପାରନ୍ତି।

ଲକ୍‌ ଡାଉନ୍‌ ସମୟରେ ଆପଣ ପିଲାଙ୍କୁ କିଭଳି ଶିକ୍ଷାଦାନ କରୁଛନ୍ତି?
ମାର୍ଚ୍ଚ ୨୦ରୁ କ୍ଲାସରୁମ୍‌ ପାଠପଢ଼ା ବନ୍ଦ ହୋଇଥିଲା। କିଛି ଦିନ ସ୍ଥିତିକୁ ଅନୁଧ୍ୟାନ ପରେ ଜାଣିବାକୁ ପାଇଲି ଏ ସମସ୍ୟାର ସମାଧାନ ଏତେ ଶିଘ୍ର ହେବନି। ତେଣୁ ଅନ୍‌ଲାଇନ୍‌ରେ ପିଲାଙ୍କ ଶିକ୍ଷା ଦାନ ଆରମ୍ଭ କରିଥିଲୁ। ଆମ ପାଖରେ ରେକଡିଂ ହୋଇ ରହିଥିବା ଅଧ୍ୟାପକଙ୍କ ଶିକ୍ଷାଦାନ ଶୈଳୀକୁ ପିଲାମାନଙ୍କ ନିକଟକୁ ପଠାଇଥିଲୁ। ଇ-ମେଟେରିଆଲ୍‌ ଦେଇଥିଲୁ। ଆକାଶ ଇନ୍‌ଷ୍ଟିଚ୍ୟୁସନ ବିଲଡିଂ ବନ୍ଦ ରହିଛି ସତ, ହେଲେ ସମସ୍ତେ କାମ କରୁଛନ୍ତି। ଅନ୍‌ଲାଇନ୍‌ରେ ଅଭିଭାବକ-ଶିକ୍ଷକଙ୍କ ବୈଠକ, ପରୀକ୍ଷା, କ୍ଲାସ ହେଉଛି। ଏପ୍ରିଲ ମାସରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଛି। ଲୋକଙ୍କ ଭରସା ଓ ବିଶ୍ବାସ ଆମ ଉପରେ ରହିଛି। ଆକାଶ ତାହାର ପୂର୍ବ ସ୍ଥିତି ବଜାୟ ରଖିବ ବୋଲି ମୋର ଆଶା ଓ ବିଶ୍ବାସ। ଓଡ଼ିଶା ବୋର୍ଡ ଅଧୀନରେ ଥିବା ଆଦ୍ୟାନ୍ତ ଯୁକ୍ତ୨ କଲେଜର ସମସ୍ତ ପିଲାଙ୍କୁ ମଧ୍ୟ ଅନ୍‌ଲାଇନ୍‌ରେ ଶିକ୍ଷା ଦିଆଯାଉଛି।
– ଅଜୟ ବାହାଦୂର ସିଂହ
ପ୍ରତିଷ୍ଠାତ, ଆଦ୍ୟାନ୍ତ +୨ କଲେଜ
ନିର୍ଦେଶକ, ଆକାଶ ଇନଷ୍ଟିଚ୍ୟୁଟ୍‌

ସମ୍ବନ୍ଧିତ ଖବର