ନୂଆଦିଲ୍ଲୀ: ଟ୍ୟୁସନ୍ ଏବଂ ଶିକ୍ଷାଦାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କେବଳ ଲାଭ ପାଇଁ ଶିକ୍ଷାଦାନ ଏକ ବ୍ୟବସାୟ ନୁହେଁ। ସ୍କୁଲ ଫି ସମସ୍ତଙ୍କ ପାଇଁ ସୁଲଭ ହେବା ଉଚିତ। ଆନ୍ଧ୍ରପ୍ରଦେଶ ସରକାର ଘରୋଇ ଅଣଅନୁଦାନପ୍ରାପ୍ତ ମେଡିକାଲ କଲେଜରେ ବାର୍ଷିକ ଟ୍ୟୁସନ ବା ସ୍କୁଲ୍ ଫି ୨୪ ଲକ୍ଷକୁ ବୃଦ୍ଧି କରିବାପାଇଁ ଯେଉଁ ନିଷ୍ପତ୍ତି ନେଇଥିଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ତାହାକୁ ରଦ୍ଦ କରିଦେଇଥିଲେ। ଏହି ମାମଲା ସୁପ୍ରିମ୍କୋର୍ଟ ଆନ୍ଧ୍ର ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।
ଜଷ୍ଟିସ ଏମ୍. ଆର. ଶାହ ଏବଂ ଏମ୍ଏମ୍ ସୁନ୍ଦରେଶଙ୍କ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟ ସରକାର ୨୦୧୧ରେ ସ୍ଥିର କରିଥିବା ଟ୍ୟୁସନ୍ ଫି’କୁ ୭ ଗୁଣା ବୃଦ୍ଧି କରି ୨୪ ଲକ୍ଷ କରିବାପାଇଁ ନେଇଥିବା ନିଷ୍ପତ୍ତି ଆଦୌ ଯୁକ୍ତିଯୁକ୍ତ ନୁହେଁ। ଏହା ସମ୍ପୂର୍ଣ୍ଣ ଭୁଲ୍। କେବଳ ଲାଭ ପାଇବାପାଇଁ ଶିକ୍ଷାଦାନ କରାଯିବା ଉଚିତ ନୁହେଁ। ଏହା ଶିକ୍ଷାର ଉଦ୍ଦେଶ୍ୟ ସାଧନ କରିପାରିବ ନାହିଁ। ଟ୍ୟୁସନ୍ ଫି’ ସବୁବେଳେ ସୁଲଭ ହେବା ଉଚିତ। କୋର୍ଟ ରାଜ୍ୟ ସରକାର ଏବଂ ଆବେଦନକାରୀ ମେଡିକାଲ କଲେଜ୍ ଉପରେ ଅଢ଼େଇ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଯେଉଁ କଲେଜମାନେ ଛାତ୍ରଙ୍କଠାରୁ ଅତିରିକ୍ତ ଫି ନେଇଛନ୍ତି ସେମାନେ ଏହା ଛାତ୍ରମାନଙ୍କୁ ଫେରାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଆଜି ହାଇକୋର୍ଟଙ୍କ ସେହି ଆଦେଶକୁ ମଧ୍ୟ କାଏମ ରଖିଛନ୍ତି।