ଇଇଏଫ୍‌ ସମ୍ମିଳନୀ: ଆମେରିକା କଟକଣା ଭାରତ-ରୁଷ୍‌ ସମ୍ପର୍କକୁ ପ୍ରଭାବିତ କରିବନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ ରୁଷ୍‌ ଗସ୍ତରେ ଥିବାବେଳେ ଆଜି ରୁଷ୍‌‌ରେ ତାଙ୍କ ଜାପାନ୍‌ ଏବଂ ମାଲେସିଆ ପ୍ରତିପକ୍ଷଙ୍କୁ ସାକ୍ଷାତ କରିଛନ୍ତି। ରୁଷ୍‌‌ରେ ୨୦ତମ ଭାରତ-ରୁଷ୍‌ ବାର୍ଷିକ ସମ୍ମିଳନୀ ଏବଂ ଇଇଏଫ୍‌ (ଇଷ୍ଟର୍ଣ୍ଣ ଇକୋନମିକ୍‌ ଫୋରମ୍‌) ପୂର୍ବ ଅର୍ଥନୈତିକ ମଞ୍ଚର ପଞ୍ଚମ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେଇ ଆଜି ଭାରତ ଫେରିଛନ୍ତି। ଗସ୍ତର ପ୍ରଥମ ଦିନରେ ଭାରତ ରୁଷ୍‌ ମଧ୍ୟରେ ଗତକାଲି ୧୫ଟି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଥିଲା। ତେବେ ମୋଦୀ ଆଜି ଇଇଏଫ୍‌ରେ ଉଦ୍‌ବୋଧନ ଦେଇ କହିଛନ୍ତି ‌ଯେ ଆମେରିକା‌ ଦ୍ବାରା ଜାରି ହୋଇଥିବା କଟକଣା ଭାରତ ଏବଂ ରୁଷ୍‌ ମଧ୍ୟରେ ଥିବା ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଭାରତୀୟ କମ୍ପାନିଗୁଡ଼ିକ ରୁଷ୍‌ର ତୈଳ ଏବଂ ଗ୍ୟାସ୍‌ ‌ସେକ୍ଟରରେ ଅର୍ଥ ବିନିଯୋଗ କରିଛନ୍ତି। ଆମେରିକାର କଟକଣା ଦ୍ବାରା ଭାରତ-ରୁ‌ଷ୍‌ ଅର୍ଥନୈତିକ ସମ୍ପର୍କ ଉପ‌ରେ କିଛି ବି ପ୍ରଭାବ ପଡ଼ିବ ନାହିଁ ବୋଲି ‌ମୋଦୀ କହିଛନ୍ତି।

ମୋଦୀ ଆଜି ରୁଷ୍‌ରେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ନେତା ଅର୍ଥନୈତିକ ଏବଂ ପ୍ରତିରକ୍ଷା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଦୁଇ ଦେଶ ମଧ୍ୟ‌ରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ପାଇଁ ଦୃଢ଼ ସହମତି ପ୍ରକାଶ କରିଛନ୍ତି। ମୋଦୀ ଆଜି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦଙ୍କ ସହ ଆଲୋଚନା କରିଥିଲେ। ବିବାଦୀୟ ଧର୍ମ ପ୍ରଚାରକ ଜାକିର ନାଏକକୁ ଭାରତ ପ୍ରତ୍ୟର୍ପଣ କରିବା ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ଉଠାଇଥିଲେ। ଜାକିର୍‌କୁ ଖୁବଶୀଘ୍ର ମାଲେସିଆ ପ୍ରତ୍ୟର୍ପଣ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର