ଶ୍ରୀନଗର: ନିୟନ୍ତ୍ରଣ ରେଖା ଅଞ୍ଚଳରେ ଆତଙ୍କବାଦୀଙ୍କଦ୍ବାରା ଅନୁପ୍ରବେଶ ବୃଦ୍ଧି ପାଉଥିବା ବେଳେ ଗୁରୁବାର ଦିନ ବିଏସ୍ଏଫ୍ର ମୁଖ୍ୟ କହିଛନ୍ତି ଯେ, ଏପାଖକୁ ପ୍ରବେଶ କରିବା ଲାଗି କଶ୍ମୀରରେ ଭୀଷଣ ତୁଷାରପାତ ପୂର୍ବର ସମୟ ହେଉଛି ଆତଙ୍କବାଦୀଙ୍କ ପାଇଁ ଖୁବ୍ ପ୍ରକୃଷ୍ଟ। ଏବଂ ସେଭଳି ପରିସ୍ଥିତିକୁ ମୁକାବିଲା କରିବାକୁ ନିରାପତ୍ତା ବଳ ପ୍ରସ୍ତୁତ ଅଛନ୍ତି।
‘ବିଏସ୍ଏଫ୍’ର ମହାନିର୍ଦେଶକ ରାକେଶ ଅସ୍ଥାନା କହିଛନ୍ତି, ଏ କ୍ଷେତ୍ରରେ ଯେ କୌଣସି ଆହ୍ବାନର ମୁକାବିଲା ନିମନ୍ତେ ‘ବିଏସ୍ଏଫ୍’ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ନିୟନ୍ତ୍ରଣ ରେଖା ଅଞ୍ଚଳରେ ନିରବଚ୍ଛିନ୍ନ ଅନୁପ୍ରବେଶ ଉଦ୍ୟମ ସଂକ୍ରାନ୍ତରେ ପଚରା ଯିବାରୁ ସେ କହିଲେ, ପ୍ରତିରକ୍ଷାର ‘ଫାଷ୍ଟ୍ ଲାଇନ୍’ରେ ରହିଥିବାରୁ ଦେଶକୁ ସୁରକ୍ଷିତ ରଖିବାକୁ ଆମେ ଦୃଢ଼ ପରିକର।
/sambad/media/post_attachments/wp-content/uploads/2020/11/force-1024x768.jpg)
ପାରା-ଆଥ୍ଲିଟ୍ମାନଙ୍କୁ ସମର୍ଥନ କରିବାକୁ କଶ୍ମୀରରୁ କନ୍ୟାକୁମାରୀଯାଏଁ ‘ଇନ୍ଫିନିଟି ରାଇଡ୍୨୦୨୦’ର ୬ଷ୍ଠ ସଂସ୍କରଣର ଫ୍ଲାଗ୍ଅଫ୍ ଉତ୍ସବ ଅବସରରେ ସାମ୍ବାଦିକମାନଙ୍କୁ ସେ ଏ କଥା କହିଛନ୍ତି।
ଆସ୍ଥାନା କହିଛନ୍ତି, ଏ ପରିସ୍ଥିତି ଅଧିକ ଧ୍ୟାନ ଓ ଅଧିକ ସତର୍କତା ଆବଶ୍ୟକ କରେ। ନିଃସନ୍ଦେହ, ଏଭଳି ପରିସ୍ଥିତି ଆସିଯାଇଛି ଏବଂ ଆମେ ତା’ର ମୁକାବିଲା କରୁଛୁ। ଆଜି ସକାଳେ ଜମ୍ମୁରେ ଏନ୍କାଉଣ୍ଟର୍ରେ ନିହତ ହୋଇଥିବା ଚାରି ଆତଙ୍କବାଦୀ ଘଟଣାକୁ ନିର୍ଦେଶ କରି ସେ କହିଲେ, ସୀମାପାରି ଅନୁପ୍ରବେଶ ଉଦ୍ୟମ ଉପରେ ବିଏସ୍ଏଫ୍ ସତର୍କ ଦୃଷ୍ଟି ରଖିଥିବାରୁ ଏହା ସମ୍ଭବ ହୋଇଛି। ଲଞ୍ଚ୍ପ୍ୟାଡ୍ରେ ଆତଙ୍କବାଦୀମାନେ ଉପସ୍ଥିତ ଥିବାର ସୂଚନା ଆସୁଛି। ଆମେ ସଜାଗ ଏବଂ ତା’ର ମୁକାବିଲା କରିବାକୁ ପ୍ରସ୍ତୁତ।