ନୂଆଦିଲ୍ଲୀ: ଇଣ୍ଡିଗୋ ସୋମବାର ଅଧିକ ତାପମାତ୍ରା କାରଣରୁ ଲେହକୁ ବିମାନ ଉଡ଼ାଣ ବାତିଲ କରିଛି। ଜଳବାୟୁ ପରିବର୍ତ୍ତନ ଭାରତର ଶୀତଳ ମରୁଭୂମିକୁ ପ୍ରଭାବିତ କରୁଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏୟାରଲାଇନ୍ର ଜଣେ ମୁଖପାତ୍ର କହିଛନ୍ତି, ଲେହରେ ବାୟୁର ତାପମାତ୍ରା ଅଧିକ ଥିବାରୁ ସେଠାକୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି।
ସୂଚନାଯୋଗ୍ୟ, ଲେହର କୁଶୋକ ବାକୁଲା ରିମ୍ପୋଚି ବିମାନବନ୍ଦରରେ ବୋଇଂ ୭୩୭ ବିମାନ ଉଡ଼ାଣ ପାଇଁ ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ସେଲସିୟସ୍ ହେବା ଉଚିତ, ଯାହା ସମୁଦ୍ର ପତ୍ତନଠାରୁ ୧୦,୬୮୨ ଫୁଟ ଉଚ୍ଚତାରେ ଅବସ୍ଥିତ। ଅଧିକ ଉଚ୍ଚତାବିଶିଷ୍ଟ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରାୟତଃ ଉଚ୍ଚ ତାପମାତ୍ରା ଦ୍ୱାରା ପ୍ରଭାବିତ ହୋଇଥାଏ। ଅଧିକ ଉଚ୍ଚତାରେ ବାୟୁମଣ୍ଡଳୀୟ ଚାପ କମ୍ ଥିବାରୁ ବାୟୁ କମ୍ ଘନ ଥାଏ। ତା' ସହ ଉଚ୍ଚ ତାପମାତ୍ରା ବାୟୁର ଘନତା ଆହୁରି ହ୍ରାସ କରିଥାଏ। ଘନତା କମିଲେ ବିମାନର ଲିଫ୍ଟ କମେ କାରଣ ବାୟୁର ଘନତା ସହ ଏହା ସମାନୁପାତିକ ଭାବେ କାର୍ଯ୍ୟ କରେ। ସେଥିପାଇଁ ବିମାନ ଉଡ଼ାଣ ଲାଗି ରନ୍ୱେ ଅଧିକ ଲମ୍ବା ହେବା ଦରକାର ପଡ଼େ। ବାୟୁର ଘନତା କମିଲେ ବିମାନ ଇଞ୍ଜିନର ଦକ୍ଷତା ହ୍ରାସ ପାଏ। ସେଥିପାଇଁ ବିମାନର ଗ୍ରାଉଣ୍ଡ ସ୍ପିଡ୍ ବଢ଼ାଇବାକୁ ପଡ଼େ, ଯେଉଁଥିପାଇଁ ରନ୍ୱେ ଅଧିକ ଲମ୍ବା ହେବା ଆବଶ୍ୟକ। ରନ୍ୱେ ସେହି ଅନୁଯାୟୀ ଲମ୍ବା ହୋଇ ନ ଥିଲେ ବିମାନର ଲୋଡ୍ ହ୍ରାସ କରିବା କିମ୍ବା ବିମାନ ଚଳାଚଳକୁ ବାତିଲ କରିବା ଛଡ଼ା ଅନ୍ୟ ଉପାୟ ନ ଥାଏ। ଅଧିକାଂଶ ଉଚ୍ଚ ବିମାନବନ୍ଦରର ରନୱେର ଦୈର୍ଘ୍ୟ ସୀମିତ।
ଲେହରେ ଅଛି ୨,୭୫୪ ମିଟର ଦୀର୍ଘ ରନ୍ୱେ, ଯାହା ତାପମାତ୍ରା ବୃଦ୍ଧି ହେଲେ ବିମାନ ଉଡ଼ାଣ ପାଇଁ ଅସୁରକ୍ଷିତ ହୋଇଥାଏ। ଉତ୍ତର ଭାରତ, ବିଶେଷ କରି ଜମ୍ମୁ-କାଶ୍ମୀର ଓ ଲଦାଖକୁ ପ୍ରଭାବିତ କରୁଥିବା ଗ୍ରୀଷ୍ମପ୍ରବାହ ଯୋଗୁଁ ବର୍ତ୍ତମାନର ଉଚ୍ଚ ତାପମାତ୍ରା ସୃଷ୍ଟି ହୋଇପାରେ। ତେବେ ଲଦାଖରେ ସାଧାରଣତଃ ତାପମାତ୍ରା ବଢିବାରେ ଲାଗିଛି। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଗତ ୩୦ ବର୍ଷ ମଧ୍ୟରେ ଲଦାଖର ହାରାହାରି ତାପମାତ୍ରା ବୃଦ୍ଧି ପାଇଛି। ସେହିପରି କେମ୍ବ୍ରିଜ୍ ୟୁନିଭର୍ସିଟି ପ୍ରେସ୍ ଦ୍ୱାରା ପ୍ରକାଶିତ ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟ ଜିଓଲୋଜି ପକ୍ଷରୁ ୨୦୨୩ରେ କରାଯାଇଥିବା ଏକ ଅଧ୍ୟୟନରୁ ଲଦାଖରେ ଗ୍ଲେସିୟର ଆକାରରେ ଯଥେଷ୍ଟ ହ୍ରାସ ଘଟିଥିବା ଦର୍ଶାଯାଇଛି। ଏହାବ୍ୟତୀତ ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି ଯେ ଲଦାଖ ସମେତ ହିମାଳୟ ଅଞ୍ଚଳରେ ହାରାହାରି ତାପମାତ୍ରା ବୃଦ୍ଧି ବିଶ୍ୱର ହାରାହାରି ବୃଦ୍ଧିଠାରୁ ଅଧିକ। ବୈଜ୍ଞାନିକମାନେ ବାରମ୍ବାର କହୁଛନ୍ତି ଯେ ଲଦାଖର ବୃଦ୍ଧି ପାଉଥିବା ତାପମାତ୍ରା ଓ ବୃଷ୍ଟିପାତର ଭୟଙ୍କର ପ୍ରଭାବ ପଡ଼ିବ।
ଆଜିକାଲି ଲଦାଖରେ ଅଧିକ ଗରମ ଦିନ, ବୃଷ୍ଟିପାତ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହା ଗ୍ଲେସିୟର, ଜଳ ପ୍ରଣାଳୀ, ସଡ଼କ ବ୍ୟବସ୍ଥା, ପରିବେଶ, ଉଦ୍ଭିଦ, ବନ୍ୟଜନ୍ତୁ, ଜଳବିଜ୍ଞାନ, କ୍ରାୟୋସ୍ଫିୟର, ପରିବହନ ଓ ଜଳସେଚନକୁ ପ୍ରଭାବିତ କରୁଛି। ଜୁଲାଇ ୨୯ରେ ଲଦାଖର ଲାମୟୁରା ଓ ସିଙ୍ଗେ ଲାଲୋକ୍ ଗାଁର କିଛି ଅଂଶରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କେବଳ ସେତିକି ନୁହେଁ, ଲଦାଖରେ ଏବେ ଅଧିକ ସଂଖ୍ୟକ ଘର, ହୋଟେଲ ଓ ଗେଷ୍ଟହାଉସରେ ଫ୍ୟାନ୍ ଲାଗିଛି, ଯାହା ଥଣ୍ଡା ମରୁଭୂମିରେ ଶୁଣିବାକୁ ମିଳୁ ନ ଥିଲା। ତାପମାତ୍ରା ବୃଦ୍ଧି ପାଇଁ ମାନବୀୟ କାର୍ଯ୍ୟକଳାପ ଦାୟୀ ବୋଲି ଜଳବାୟୁ ଓ ବନ୍ୟପ୍ରାଣୀ ଗବେଷକ ପଦ୍ମା ରିଗଜିନ୍ କହିଛନ୍ତି।