ନୂଆଦିଲ୍ଲୀ: ଦିଲ୍ଲୀ ଓ ମୁମ୍ବାଇରେ ଉତ୍କଟ ବାୟୁ ପ୍ରଦୂଷଣ ଏବେ ଲୋକଙ୍କୁ ଅତିଷ୍ଠ କରୁଛି। ଏଭଳି ସ୍ଥିତିରେ ଉଭୟ ସହରରେ ରହୁଥିବା ୬୦ ପ୍ରତିଶତ ଲୋକ ବାୟୁ ପ୍ରଦୂଷଣର ଅବନତି କାରଣରୁ ସ୍ଥାନାନ୍ତର ହେବାକୁ ଚିନ୍ତା କରୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଦିଲ୍ଲୀ, ମୁମ୍ବାଇ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ୪,୦୦୦ ଲୋକଙ୍କ ଉପରେ ଏହି ସର୍ଭେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ପ୍ରିଷ୍ଟିନ୍ କେୟାର ଦ୍ୱାରା କରାଯାଇଥିଲା। ସର୍ଭେ ରିପୋର୍ଟ ଅନୁଯାୟୀ ପ୍ରତି ୧୦ ଜଣ ଉତ୍ତରଦାତାଙ୍କ ମଧ୍ୟରୁ ୯ ଜଣ ଖରାପ ହେଉଥିବା ବାୟୁ ମାନର ସାଧାରଣ ଲକ୍ଷଣଗୁଡିକ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଲଗାତାର କାଶ, ଶ୍ବାସକ୍ରିୟାରେ ସମସ୍ୟା, ମୁଣ୍ଡ ବୁଲାଇବା, ଗଳା ଯନ୍ତ୍ରଣା ଏବଂ ଆଖି ଖରାପ ଭଳି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ସେମାନେ କହିଛନ୍ତି। ଏହି ସର୍ଭେରେ କୁହାଯାଇଛି ଯେ ଦିଲ୍ଲୀ ଏବଂ ମୁମ୍ବାଇର ପ୍ରତି ୧୦ ଜଣରୁ ୬ ଜଣ ବାସିନ୍ଦା ଖରାପ ବାୟୁ ମାନ ଏବଂ ପ୍ରଦୂଷଣ କାରଣ ପାଇଁ ସ୍ଥାନାନ୍ତର ହେବାକୁ ଚାହୁଛନ୍ତି।

Advertisment

ବିଶେଷକରି ଶୀତଋତୁରେ ବାୟୁମାନ ଅଧିକ ଖରାପ ହେଉଥିବା ଏବଂ ଏହା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ଲୋକେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ, ୪୦ ପ୍ରତିଶତ ଉତ୍ତରଦାତା ଶୀତଋତୁରେ ସେମାନଙ୍କ ପ୍ରିୟଜନଙ୍କ ମଧ୍ୟରେ ଆଜ୍‌ମା କିମ୍ବା ବ୍ରୋଙ୍କାଇଟିସ୍ ଭଳି ଶ୍ବାସକ୍ରିୟାଜନିତ ସମସ୍ୟା ଅଧିକ ଜଟିଳ ହେଉଥିବା ଲକ୍ଷ୍ୟ କରିଛନ୍ତି। ସର୍ଭେରେ କୁହାଯାଇଛି ଯେ, ଦିଲ୍ଲୀ ଏବଂ ମୁମ୍ବାଇର ପ୍ରତି ୧୦ ଜଣ ବାସିନ୍ଦାଙ୍କ ମଧ୍ୟରୁ ୪ ଜଣ ବାୟୁ ପ୍ରଦୂଷଣ ସହ ଜଡିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ପ୍ରତିବର୍ଷ କିମ୍ବା କିଛି ବର୍ଷ ଚିକିତ୍ସା ଲୋଡ଼ିବାକୁ ବାଧ୍ୟ ହୋଇଥାନ୍ତି। ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଜୀବନଶୈଳୀରେ ପରିବବର୍ତ୍ତନ ଆଣିବା ସଂପର୍କରେ ପଚରାଯିବାରୁ ୩୫ ପ୍ରତିଶତ ଉଲ୍ଲେଖ କରିଛନ୍ତି ଯେ ସେମାନେ ବ୍ୟାୟାମ ଏବଂ ଚାଲିବା ଭଳି ବାହ୍ୟ କାର୍ଯ୍ୟକଳାପ ବନ୍ଦ କରିଥିବାବେଳେ ୩୦ ପ୍ରତିଶତ ବାହାରେ ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି।ଏୟାର ପ୍ୟୁରିଫାୟର ସଂକ୍ରାନ୍ତରେ ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀ ଏବଂ ମୁମ୍ବାଇର ମାତ୍ର ୨୭ ପ୍ରତିଶତ ଉତ୍ତରଦାତା ଏହାର ବ୍ୟବହାରକୁ ସ୍ୱୀକାର କରିଥିବା ବେଳେ ଏହାକୁ ନେଇ ୪୩ ପ୍ରତିଶତ ଭିନ୍ନମତ ରଖିଛନ୍ତି। ସେମାନଙ୍କ ମତରେ ଏୟାର ପ୍ୟୁରିଫାୟର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ।