ଭାରତ ବନ୍ଦର ମିଶ୍ରିତ ପ୍ରଭାବ: ବିଭିନ୍ନ ସ୍ଥାନରେ ରେଳ ରୋକ, ରାସ୍ତା ଅବରୋଧ

ପଂଜାବ, ହରିୟାଣା, ରାଜସ୍ଥାନରେ ସର୍ବାଧିକ ପ୍ରଭାବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୩ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନମାନଙ୍କ ଦ୍ବାରା ଶୁକ୍ରବାର ଦିନ ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ବନ୍ଦ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା। ତେବେ ପଂଜାବ, ହରିଣାୟା ଏବଂ ରାଜସ୍ଥାନରେ ବନ୍ଦର ସର୍ବାଧିକ ପ୍ରଭାବ ରହିଥିଲା। ବିଭିନ୍ନ ରାଜ୍ୟରେ ଚାଷୀ ସଂଗଠନମାନଙ୍କ ପକ୍ଷରୁ ରାସ୍ତା ଅବରୋଧ ଏବଂ ରେଳ ରୋକ ମଧ୍ୟ କରାଯାଇଥିଲା। ୪୪ଟି ସ୍ଥାନରେ ରେଳ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ୪ଟି ଶତାବ୍ଦୀ ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଥିଲା।

ବିହାରରେ ଆରଜେଡି ପକ୍ଷରୁ ବନ୍ଦକୁ ସମର୍ଥନ କରି ଶୋଭାଯାତ୍ରା ବାହାର କରାଯାଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ ବାମ ଦଳମାନେ ଭାରତ ବନ୍ଦ ସମର୍ଥନରେ ପ୍ରତିବାଦ କାର୍ଯ୍ୟକ୍ରମ କରିଥିଲେ। ପଂଜାବ, ହରିୟାଣା ଏବଂ ଦିଲ୍ଲୀକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ଚାଷୀମାନେ ଅବରୋଧ ଜାରି ରଖିବା ସହ ଟ୍ରାକ୍ଟର ଓ ବାଇକ୍‌ ରୢାଲି ବାହାର କରିଥିଲେ। ଚାଷୀ ଆନ୍ଦୋଳନକୁ ଆଜି ୪ ମାସ ପୂରଣ ହୋଇଛି ଏବଂ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ନେତାମାନେ ଘୋଷଣା କରିଛନ୍ତି। ଗୋଟିଏ ପଟେ ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ଏହି ପ୍ରସଙ୍ଗରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଅନ୍ୟପଟେ ଚାଷୀ ସଂଗଠନମାନେ ଜିଦ୍‌ରେ ଅଟଳ ରହିଥିବାରୁ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ମଧ୍ୟ ତାରିଖ ସ୍ଥିର ହୋଇପାରୁନାହିଁ।

ସମ୍ବନ୍ଧିତ ଖବର