ଭୁବନେଶ୍ବର: ଇସ୍ରାଏଲୀ ସ୍ପାଏୱେର ପେଗାସସ୍ ସହାୟତାରେ ଦେଶର ମନ୍ତ୍ରୀ, ବିରୋଧୀ ଦଳ ନେତା, ବିଚାରପତି, ସାମ୍ବାଦିକ, ଓକିଲ ଓ ସାମାଜିକ କର୍ମୀଙ୍କ ଫୋନ୍ ହ୍ୟାକ୍ ହୋଇଥିବା ସଂପର୍କିତ ରିପୋର୍ଟ ଆଜି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ସଂସଦର ମୌସୁମୀ ଅଧିବେଶନର ଆରମ୍ଭ ଆଜିଠାରୁ ହୋଇଥିବାରୁ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ଏକ ବଡ଼ ପ୍ରସଙ୍ଗ ମିଳିଯାଇଛି। ଅନ୍ୟପକ୍ଷରେ ସରକାର ଆଜି ପ୍ରଥମ ଦିନରେ ହିଁ ସଂସଦରେ ଏହା ଉପରେ ଉତ୍ତର ରଖି ବିବାଦରେ ପୂର୍ଣ୍ଣଛେଦ ପକାଇବାକୁ ଯଥାସାଧ୍ୟ ଉଦ୍ୟମ କରିଛନ୍ତି। ହଟ୍ଟଗୋଳ ମଧ୍ୟରେ ସଂସଦରେ ପେଗାସସ୍ ସଫ୍ଟୱେର ଉପଯୋଗ କରି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିମାନଙ୍କର ଫୋନ ହ୍ୟାକ୍ କରାଯାଇଥିବା ବିଷୟ ଗଣମାଧ୍ୟମରେ ପ୍ରକାଶ ପାଇବ ପରେ ଏହା ଉପରେ ଉତ୍ତର ରଖିଛନ୍ତି କେନ୍ଦ୍ର ଆଇଟି, ଯୋଗାଯୋଗ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଗୋଟିଏ ପଟେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ଏବଂ ଏହାର ପୂର୍ବଦିନ ଫୋନ ହ୍ୟାକ୍ ରିପୋର୍ଟ ପ୍ରକାଶ ପାଇବା ମଧ୍ୟରେ କୌଣସି ସଂଯୋଗ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି।
ଏହି ଘଟଣାକୁ ସେ ସମ୍ବେଦନଶୀଳ ବୋଲି କହିବା ସହିତ ଭାରତୀୟ ଗଣତନ୍ତ୍ର ଏବଂ ଏହାର ସୁପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକୁ ବଦନାମ କରିବା ଲାଗି ଏହା ଉଦ୍ଦିଷ୍ଟ ବୋଲି ଆଇଟି ମନ୍ତ୍ରୀ ମତ ଦେଇଛନ୍ତି। ଗତରାତିରେ ଏହି ସମ୍ବେଦନଶୀଳ ଖବର ଗୋଟିଏ ୱେବପୋର୍ଟାଲରେ ଗତକାଲି ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ ବିଶ୍ବରେ ଅନୁସନ୍ଧାନ ଧର୍ମୀ ଖବର ପ୍ରକଳ୍ପର ଏକ ଅଂଶବିଶେଷ। ଭାରତରେ ଡିଜିଟାଲ ନ୍ୟୁଜ ପୋର୍ଟାଲ ୱେୟାର ଏଥିରେ ସାମିଲ ରହିଛି। ଏବେ ନୁହେଁ ଅତୀତରେ ମଧ୍ୟ ପେଗାସସ୍କୁ ଉପଯୋଗ କରି ଏଭଳି ଗୁଇନ୍ଦାଗିରି କରାଯାଇଥିବା ନେଇ ସମାନ ଧରଣର ଅଭିଯୋଗ ଆସିଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏସବୁ ରିପୋର୍ଟର କୌଣସି ତଥ୍ୟଗତ ଆଧାର ନାହିଁ। ସୁପ୍ରିମ କୋର୍ଟଙ୍କ ସମେତ ସବୁ ପକ୍ଷ ଏହାକୁ ଅସ୍ବୀକାର କରିଛନ୍ତି। ତେଣୁ ୨୦୨୧ ଜୁଲାଇ ୧୮ରେ ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଭାରତୀୟ ଗଣତନ୍ତ୍ରକୁ ବଦନାମ କରିବା ଲାଗି ଏକ ଉଦ୍ୟମ ବୋଲି ସେ ମତ ଦେଇଛନ୍ତି। ରିପୋର୍ଟ ପଛର କାହାଣୀ ଏୟା ଯେ ଲିକ୍ ହୋଇଥିବା ୫୦ ହଜାର ଫୋନ ନମ୍ବରର ତଥ୍ୟ ବିଶ୍ବସ୍ତରରେ କେତେକ ସଂସ୍ଥାକୁ ନେଇ ଗଠିତ କନସୋର୍ଟିୟମ ହାତରେ ଲାଗିଛି।
ଏହି ଫୋନ ନମ୍ବର ଯେଉଁ ବ୍ୟକ୍ତିମାନଙ୍କର ସେମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି ବୋଲି ଅଭିଯୋଗ ହୋଇଛି। ତେବେ ତଥ୍ୟରେ ଥିବା ଫୋନ ନମ୍ବରଗୁଡ଼ିକୁ ପେଗାସସ୍ ସ୍ପାଏୱେର ସଂକ୍ରମିତ କରିଛି କିମ୍ବା ସଂକ୍ରମଣ କରିବା ପାଇଁ ଉଦ୍ୟମ କରାଯାଇଛି ତାହା ରିପୋର୍ଟରେ ସ୍ପଷ୍ଟ କରାଯାଇ ନାହିଁ। ତେଣୁ ଅଭିଯୋଗ ଅଣାଯାଇଥିବା ଫୋନ ନମ୍ବରଗୁଡ଼ିକର ବୈଷୟିକ ବିଶ୍ଳେଷଣ କରା ନଯିବା ପର୍ଯ୍ୟନ୍ତ ଏହା ନିଶ୍ଚିତଭାବେ କୁହାଯାଇ ପାରିବ ନାହିଁ ଯେ ହ୍ୟାକ୍ ପାଇଁ କେବଳ ଉଦ୍ୟମ ହୋଇଥିଲା କିମ୍ବା ହ୍ୟାକ୍ ଉଦ୍ୟମ ସଫଳ ହୋଇଛି। କେବଳ ତାଲିକାରେ ଫୋନ ନମ୍ବର ଥିବାରୁ ସେଗୁଡ଼ିକର ଗୁଇନ୍ଦାଗିରି କରାଯାଇଛି ବୋଲି ମଧ୍ୟ ସେହି ରିପୋର୍ଟରେ ଦର୍ଶାଯାଇଥିବା ବିଷୟ ଅଶ୍ବିନୀ ସ୍ପଷ୍ଟ କରିଛନ୍ତି।
ଇସ୍ରାଏଲୀ କମ୍ପାନି ଏନଏସଓ ଦେଇଥିବା ସ୍ପଷ୍ଟୀକରଣ ସଂପର୍କରେ ମଧ୍ୟ ମନ୍ତ୍ରୀ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେଉଁସବୁ ଦେଶ ପେଗାସସ୍ ବ୍ୟବହାର କରୁଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି ତାହା ସତ ନୁହେଁ। ପାଶ୍ଚତ୍ୟ ଦେଶଗୁଡ଼ିକ ହିଁ ଏହି କମ୍ପାନିର ମୁଖ୍ୟତଃ ଗ୍ରାହକ ରହିଛନ୍ତି। ତେଣୁ ଉକ୍ତ ରିପୋର୍ଟକୁ ଏନଏସଓ ମଧ୍ୟ ଖଣ୍ଡନ କରିଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଭାରତରେ ବଳିଷ୍ଠ ବ୍ୟବସ୍ଥା ଥିବାରୁ ବେଆଇନ ଭାବେ କାହାରି ସଂପର୍କରେ ନିରୀକ୍ଷଣ କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/5d4j564dg56j4d56g4j56dgjjdggjddgjdgjjddgjdgjdgjdgj.jpg)