ଲଦାଖରେ ଦୀର୍ଘକାଳୀନ ରହଣି ଲାଗି ଭାରତୀୟ ସେନାର ପ୍ରସ୍ତୁତି; ପୂର୍ବର ସ୍ଥିତାବସ୍ଥା ନ ଆସିବା ପର୍ଯ୍ୟନ୍ତ ଜଗିବେ

ନୂଆଦିଲ୍ଲୀ : ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଏପ୍ରିଲ ପୂର୍ବର ସ୍ଥିତାବସ୍ଥା ନ ଆସିବା ପର୍ଯ୍ୟନ୍ତ ଭାରତୀୟ ଯବାନମାନେ ସେଠାରେ ଜଗି ରହିବେ ବୋଲି ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହା ଫଳରେ ଆଗାମୀ ଶୀତଋତୁରେ ମଧ୍ୟ ଭାରତୀୟ ସେନା ସେଠାରେ ରହିବାର ସମ୍ଭାବନା ବଢିଯାଇଛି । ଶୀତଋତୁରେ ଲଦାଖରେ ତାପମାତ୍ରା ଶୁନଠାରୁ ୨୦ ଡିଗ୍ରୀ ତଳକୁ ଖସିଯାଏ । ଏଣୁ ଏଠାରେ ରହିବା ବେଶ କଷ୍ଟକର । ଏହା ସତ୍ତ୍ୱେ ସେନା ସେଠାରେ ରହିବାକୁ ପ୍ରସ୍ତୁତି ଆରମ୍ଭ କରୁଛି ।

ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଲେପ୍ଟନାଣ୍ଟ ଜେନେରାଲ ଓ୍ଵାଇକେ ଜୋଶୀ କହିଛନ୍ତି ଯେ ଚୀନ ସେନା ଏପ୍ରିଲ ମଧ୍ୟ ପୂର୍ବରୁ ଯେଉଁ ସ୍ଥାନରେ ଥିଲା ସେହି ସ୍ଥାନକୁ ନ ଫେରିବା ପର୍ଯ୍ୟନ୍ତ ଭାରତୀୟ ସେନା ଲଦାଖରେ ଥିବା ଏଲଏସିରେ ବଜାୟ ରହିବେ । ସ୍ଥିତାବସ୍ଥା ଫେରାଇ ଆଣିବାକୁ ଭାରତୀୟ ସେନା ସବୁପ୍ରକାରର ଉଦ୍ୟମ କରିବ । ଏହା ହାସଲ ନ ହେବା ପର୍ଯ୍ୟନ୍ତ ସେନା ସେଠାରେ ରହିବ । ଦୁଇପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନାର ସଫଳତା ଓ ଦୁଇପକ୍ଷ ମଧ୍ୟରେ ହୋଇଥିବା ନିଷ୍ପତ୍ତିକୁ ପାଳନ କରାଯିବା ଉପରେ ସ୍ଥିତାବସ୍ଥା ଫେରିବାର ସମୟ ନିର୍ଭର କରିବ ।

ଦୁଇପକ୍ଷର ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ପରେ ଚୀନ ସେନା ଗଲଓ୍ଵାନ ଘାଟି ଓ ହଟସ୍ପ୍ରିଙ୍ଗ ଅଞ୍ଚଳରୁ ପଛକୁ ଫେରିଛି । କିନ୍ତୁ ଅନ୍ୟ ବିବାଦୀୟ ଅଞ୍ଚଳ ପେଙ୍ଗୟାଂ ସୋ ଓ ପିପି୧୭ ଗୋଗ୍ରା ଅଞ୍ଚଳରେଚ ଚୀନ ସେନା ଏବେ ବି ରହିଛି । ସେ କହିଛନ୍ତି ଯେ ସୀମାରେ ଶାନ୍ତି ଫେରାଇ ଆଣିବାକୁ ଭାରତୀୟ ସେନା ଓ ସରକାର ସବୁପ୍ରକାରର ଉଦ୍ୟମ କରୁଛନ୍ତି । କିନ୍ତୁ ଯେକୌଣସି ପ୍ରକାରର ସ୍ଥିତିର ସାମନା କରିବାକୁ ସେନା ପ୍ରସ୍ତୁତ ଅଛି ।

ସମ୍ବନ୍ଧିତ ଖବର