ମସ୍କୋ: ୟୁକ୍ରେନ୍ ସଙ୍କଟ ନେଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଟେଲିଫୋନ୍ରେ କଥାବାର୍ତ୍ତା କରିଛନ୍ତି। ରୁଷ୍ ୟୁକ୍ରେନ୍ ଉପରେ ଯେ କୌଣସି ସମୟରେ ଆକ୍ରମଣ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଥିବା ବେଳେ ପୁଟିନ୍ ଏବଂ ବାଇଡେନ୍ଙ୍କ ଆଲୋଚନା ଉତ୍ତେଜନା ହ୍ରାସ ଦିଗରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ବାଇଡେନ୍ଙ୍କ ସହ କଥାବାର୍ତ୍ତା ପୂର୍ବରୁ ପୁଟିନ ମଧ୍ୟ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ କଥା ହୋଇଛନ୍ତି। ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ମାକ୍ରନ୍ ଚଳିତ ସପ୍ତାହରେ ରୁଷ୍ ଗସ୍ତ କରି ପୁଟିନଙ୍କୁ ସାକ୍ଷାତ କରିଥିଲେ। ରୁଷ୍ ୟୁକ୍ରେନ୍ ସୀମା ନିକଟରେ ସୈନ୍ୟ ଠୁଳ କରିଛି ଏବଂ ପଡ଼ୋଶୀ ବେଲାରୁଷକୁ ଅଭ୍ୟାସ ପାଇଁ ସୈନିକଙ୍କୁ ପଠାଉଛି। କିନ୍ତୁ ୟୁକ୍ରେନ୍ ଉପରେ ଆକ୍ରମଣ ସଂକ୍ରାନ୍ତ ରିପୋର୍ଟକୁ ରୁଷ୍ ପ୍ରତ୍ୟାଖ୍ୟାନ କରିଛି। ବାଇଡେନ କହିଛନ୍ତି, ଆମେରିକା ସୈନିକ ୟୁକ୍ରେନ୍ ଯୁଦ୍ଧରେ ସାମିଲ ହେବେନାହିଁ। ଯେ କୌଣସି ସ୍ଥିତିରେ ଉତ୍ତେଜନା ହ୍ରାସ ପାଇଁ ସେ ଗୁରୁତ୍ବାରୋପ କରିଛନ୍ତି। ଇତି ମଧ୍ୟରେ ବାଇଡେନ୍ଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସୁଲ୍ଲିଭାନ୍ ସମସ୍ତ ଆମେରିକୀୟଙ୍କୁ ୟୁକ୍ରେନ୍ ଛାଡ଼ିବାକୁ ଅନୁରୋଧ କରିଛନ୍ତି।
ରୁଷ୍ ୟୁକ୍ରେନ୍ ଉପରେ ସପ୍ତାହକ ମଧ୍ୟରେ ଆକ୍ରମଣ କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ୟୁକ୍ରେନ୍ରୁ ନିଜ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରୁଷ୍ କହିଛି ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ଗଣମାଧ୍ୟମ ଭୁଲ୍ ଖବର ପ୍ରସାର କରୁଛି ଏବଂ ଅନାବଶ୍ୟ ଉତ୍ତେଜନା ସୃଷ୍ଟି କରାଯାଉଛି। ୟୁକ୍ରେନ୍ ଆକ୍ରମଣ ସଂକ୍ରାନ୍ତରେ ବିଭିନ୍ନ ରାଷ୍ଟ୍ରର ଚେତାବନୀକୁ ରୁଷ୍ ବିଦେଶ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ବିରୋଧ କରିଛି ଏବଂ ଯୁଦ୍ଧାଭ୍ୟାସକୁ ସୁରକ୍ଷା ଦିଗରେ ସ୍ବାଭାବିକ ପ୍ରକ୍ରିୟା ବୋଲି କହିଛି। ତେବେ ଏହା ସତ୍ତ୍ବେ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସୁଲ୍ଲିଭାନ କହିଛନ୍ତି, ଆମେରିକୀୟମାନେ ଅଧିକ ସମୟ ନ ଗଡ଼ାଇ ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ ଛାଡ଼ିଦେଲେ ହିଁ ତାହା ମଙ୍ଗଳକର ହେବ।