ନୂଆଦିଲ୍ଲୀ: ପୂର୍ବ ଲଦାଖରେ ସୀମା ବିବାଦର ଅନ୍ତ ଘଟାଇବା ପାଇଁ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ହେବାର କିଛି ଦିନ ପରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ର ଦୁଇଟି ବିବାଦୀୟ ସ୍ଥାନରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି। ଅକ୍ଟୋବର ୨୯ ତାରିଖ ସୁଦ୍ଧା ଏହା ଶେଷ ହେବ ଏବଂ ଚଳିତ ମାସ ଶେଷ ସୁଦ୍ଧା ପାଟ୍ରୋଲିଂ ଆରମ୍ଭ ହେବ। ଡେମ୍ଚୋକ୍ ଅଞ୍ଚଳରେ ଉଭୟ ପାର୍ଶ୍ୱରେ ୫ଟି ତମ୍ବୁ ଏବଂ ଡେପ୍ସାଙ୍ଗ୍ର ଅଧା ଅସ୍ଥାୟୀ ନିର୍ମାଣକୁ ଉଚ୍ଛେଦ କରାଯାଇଛି। ୨୦୨୦ ଏପ୍ରିଲ ପୂର୍ବରୁ ଉଭୟ ପକ୍ଷର ସୈନିକମାନେ ନିଜ ଅକ୍ତିଆରରେ ଥିବା ସ୍ଥାନକୁ ଫେରିଯିବେ ଏବଂ ସେମାନେ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ପାଟ୍ରୋଲିଂ କରିଥିବା ଅଞ୍ଚଳରେ ପାଟ୍ରୋଲିଂ କରିବେ।
ଭାରତୀୟ ସୈନିକମାନେ ଚାର୍ଡିଂ ନାଲାର ପଶ୍ଚିମ ଦିଗକୁ ଫେରୁଥିବା ବେଳେ ଚୀନ୍ ସୈନିକମାନେ ପୂର୍ବ ଦିଗକୁ ଫେରୁଛନ୍ତି। ଉଭୟ ପାର୍ଶ୍ୱରେ ପ୍ରାୟ ୧୦ରୁ ୧୨ଟି ଅସ୍ଥାୟୀ ଢାଞ୍ଚା ଓ ପ୍ରାୟ ୧୨ଟି ତମ୍ବୁ ରହିଛି, ଯାହାକୁ ହଟାଇ ଦିଆଯିବ। ସମସ୍ତ ତମ୍ବୁ ଓ ଅସ୍ଥାୟୀ ଢାଞ୍ଚା ସମ୍ପୂର୍ଣ୍ଣ ଭାବେ ହଟାଯିବା ପରେ ଉଭୟ ସ୍ଥଳଭାଗରେ ଓ ଆକାଶମାର୍ଗରୁ ସର୍ଭେ ମାଧ୍ୟମରେ ମିଳିତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ।