ତେଲ ଆଭିଭ୍‌: ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଓ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାକୁ ଆମେରିକା ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ଆମେରିକାର ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ରାଷ୍ଟ୍ରପତି ଆଇଜାକ୍‌ ହେର୍‌ଜୋଗ୍‌ଙ୍କୁ ଭେଟିଛନ୍ତି। ଭେଟିବା ପରେ ସ୍ଥଗିତ ହୋଇଥିବା ଶାନ୍ତି ଆଲୋଚନା ଚଳିତ ସପ୍ତାହରୁ ପୁଣି ଆରମ୍ଭ ହେବା ସମ୍ଭାବନା ସୃଷ୍ଟି ହୋଇଛି। ୭ ଅକ୍ଟୋବର ୨୦୨୩ରୁ ଇସ୍ରାଏଲ୍‌- ପାଲେଷ୍ଟାଇନ୍‌ ଯୁଦ୍ଧ ଚାଲିଛି। ଇରାନ୍‌ରେ ହମାସ୍‌ ମୁଖ୍ୟଙ୍କ ହତ୍ୟା ପରେ ଯୁଦ୍ଧରେ ଇରାନ୍‌ ସକ୍ରିୟ ଭାବେ ଯୋଗଦେବା ସମ୍ଭାବନା ରହିଛି।

Advertisment

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟାକୁ ବନ୍ଦ କରିବାକୁ ଜାତିସଂଘ ସମେତ ଆମେରିକା ଓ କେତେକ ୟୁରୋପୀୟ ରାଷ୍ଟ୍ର ଆହ୍ବାନ ଦେଇଛନ୍ତି। ସଂପ୍ରତି ଯୁଦ୍ଧ ବିରତି ନିମନ୍ତେ ଇସ୍ରାଏଲ୍‌ ଉପରେ ଚାପ ପକାଇବାକୁ ଆମେରିକା ଅନ୍ତିମ ପ୍ରୟାସ କରିଛି। ଏହି କ୍ରମରେ ଗତକାଲି ‌ବ୍ଲିଙ୍କେନ୍‌ ତେଲ୍‌ ଆଭିଭ୍‌ ଗସ୍ତ କରିଛନ୍ତି। ଗାଜା ଯୁଦ୍ଧ ଆରମ୍ଭ ହେବା ଠାରୁ ଏହା ତାଙ୍କର ୯ମ ଇସ୍ରାଏଲ୍‌ ଗସ୍ତ। ଆଜି ଇସ୍ରାଏଲ୍‌ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ବ୍ଲିଙ୍କେନ୍‌ କହିଛନ୍ତି, ଏହା ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ଶାନ୍ତି ଓ ସୁରକ୍ଷାର ଉତ୍ତମ ଧାରାରେ ସମସ୍ତଙ୍କୁ ଯୋଡ଼ିବା ଓ ଯୁଦ୍ଧବିରତି ନିମନ୍ତେ ଏବଂ ଯୁଦ୍ଧବନ୍ଦୀଙ୍କୁ ଘରକୁ ଫେରାଇ ଆଣିବାକୁ ସମ୍ଭବତଃ ଏହା ସବୁଠାରୁ ଶ୍ରେଷ୍ଠ ଓ ଆପାତତଃ ଶେଷ ପ୍ରୟାସ।