ସବୁ ସ୍ତରରେ ଶିକ୍ଷାର ଗୁଣାତ୍ମକ ବିକାଶ ପ୍ରଚେଷ୍ଟା ଜାରି ରହିଛି: ଧର୍ମେନ୍ଦ୍ର

ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ ଆୟୋଜିତ

ନୂଆଦିଲ୍ଲୀ/ ଭୁବନେଶ୍ବର: ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ସାର୍ବଭୌମ ପଦ୍ଧତିକୁ ଗ୍ରହଣ କରିବା ଉପରେ ଆମେ ଅଧିକ ଗୁରୁତ୍ବ ଦେବା ସହ ସବୁ ସ୍ତରରେ ଶିକ୍ଷାର ଗୁଣାତ୍ମକ ବିକାଶ କରିବା ପାଇଁ ପ୍ରଚେଷ୍ଟା କରୁଛୁ। ଭାରତକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ସହ ବିଶ୍ୱକୁ ଦକ୍ଷ ମାନବ ସମ୍ବଳ ପ୍ରଦାନ କରିବା ପାଇଁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କ୍ଷମତାକୁ ସଶକ୍ତ କରାଯାଉଛି। ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରସିପ୍ ଫୋରମ୍‌ ଦ୍ୱାରା ଆୟୋଜିତ ଏକ ଆଲୋଚନାଚକ୍ରରେ ସାମିଲ ହୋଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶରେ ଶିକ୍ଷା ଓ ଦକ୍ଷତା ବିକାଶ, ଭାରତର ଭୌଗୋଳିକ ସମ୍ଭାବନା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ଉପରେ ବିଶେଷ ଭାବେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ। ଜାତୀୟ ଶିକ୍ଷା ନୀତି- ୨୦୨୦ ରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ, ଶିକ୍ଷାର ସବୁ କ୍ଷେତ୍ରରେ ନୂଆ ଏବଂ ଅଭିନବ ମଡେଲ ପ୍ରସ୍ତୁତ କରିବା ଏବଂ ଭାରତର ଯୁବକଙ୍କୁ ଘରୋଇ ଏବଂ ବିଶ୍ୱ ଆହ୍ବାନକୁ ସମାଧାନ କରିବା ପାଇଁ ବୈଶ୍ବିକ ନାଗରିକ ଭାବରେ ପରିଣତ କରିବା ଦିଗରେ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ସେ କହିଥିଲେ, ଆଗାମୀ ୨୫ ବର୍ଷରେ ଭାରତ ଅନେକ ସୁଯୋଗର ଅଧିକାରୀ ହେବ । ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ କ୍ଷମତା ବୃଦ୍ଧି, ଭାରତକୁ ଏକ ସୁଦୃଢ଼ ଜ୍ଞାନ ଆଧାରିତ ସମାଜ ଭାବରେ ପ୍ରତିଷ୍ଠା କରିବା, ଜାତୀୟ ଶିକ୍ଷା ନୀତିର କଳ୍ପନାକୁ ଅନୁଭବ କରିବା ଏବଂ ନୂଆ ଉନ୍ମାଦନା ସହ ଏକବିଂଶ ଶତାବ୍ଦୀକୁ ଗ୍ରହଣ କରିବା ପାଇଁ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ ଏବଂ ନୀତି ନିର୍ଦ୍ଧାରକମାନେ ମିଳିତ ଭାବରେ କାମ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର