ନୂଆଦିଲ୍ଲୀ : ଦେଶରେ ଆଞ୍ଚଳିକ ଇତିହାସକୁ ଅବହେଳା କରାଯାଇଛି। ଅଞ୍ଚଳର ଇତିହାସକୁ ଲୋକମାନେ ଲେଖନ୍ତୁ। ଆଜି ସଂଧ୍ୟାରେ ଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସଭାଗାରରେ ଅଶୋକ କୁମାର ବଳଙ୍କ ଗଜପତି: ଏ କିଙ୍ଗ ୱିଦାଉଟ୍ ଏ କିଙ୍ଗଡମ୍ ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ଏହା କହିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ,ବିଶିଷ୍ଟ ରାଜନେତା ଓ ଲେଖକ ଡଃ କରନ୍ ସିଂହ।
ଅତୀତରେ ଐତିହାସିକମାନେ ବ୍ରିଟିସ ଇଣ୍ଡିଆର ସ୍ରୋତକୁ ପାଥେୟ କରି ଯେଉଁ ପୁସ୍ତକଗୁଡ଼ିକ ଲେଖିଛନ୍ତି ସେଥିରେ ବିପର୍ଯ୍ୟୟ ଓ ନକାରାତ୍ମକ ଛବିକୁ ଉପସ୍ଥାପନା କରାଯାଇଛି ଏବଂ ଅଧିକାଂଶ ଦିଲ୍ଲୀକେନ୍ଦ୍ରିକ ରହିଛି। ଦେଶର ଗୌରବମୟ ସଂସ୍କୃତି ଓ ଇତିହାସକୁ ଗୁରୁତ୍ବ ଦିଆଯାଇନାହିଁ। ଏହାର ପୁନଃରୁଦ୍ଧାରର ଆବଶ୍ୟକତା ରହିଥିବା ଡ. ସିଂହ କହିଛନ୍ତି। କୋଣାର୍କ ପବ୍ଲିସର ପ୍ରାଇଭେଟ ଲିମିଟେଡ୍ ଏବଂ ଓଡ଼ିଶା ଫୋରମ୍ର ମିଳିତ ସଂଯୋଜନାରେ ଆୟୋଜିତ ଉକ୍ତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ଓଡ଼ିଶାର ଇତିହାସ, କଳା ଓ ସଂସ୍କୃତିର ଭୂୟସୀ ପ୍ରଶଂସା କରିଥିଲେ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏଥିରେ ଯୋଗଦେଇ କହିଥିଲେ ପୁସ୍ତକ ପଢ଼ିବା ପରେ ଯେଉଁ ଭାବନା ଆସୁଛି ସେଥିରେ ବାସ୍ତବରେ ଗଜପତି ମହାରାଜାମାନଙ୍କର ପରମ୍ପରା ଅର୍ଥାତ ଉତ୍କଳର ପୂର୍ବ ମହାରାଜମାନଙ୍କର ପରମ୍ପରା ଆମର ବୈଦିକ ସଂସ୍କୃତି ଅର୍ନ୍ତଗତ ବୋଲି ବୁଝିବାକୁ ହେବ। କିଛି ବିଦେଶୀ ଐତିହାସିକ ଗଜପତି ପରମ୍ପରାକୁ ନେଇ ଭିନ୍ନ ପ୍ରକାରର ବ୍ୟାଖ୍ୟା କରିଥିବା ମଧ୍ୟ ମହାରାଜା ଦିବ୍ୟସିଂହ ଦେବ ଏହି ଅବସରରେ କହିଥିଲେ।ମହାପ୍ରଭୁ ଓ ଗଜପତି ମହାରାଜାମାନଙ୍କର ଇତିହାସ ଜାଣିବା ପାଇଁ ଏହା ଏକ ଉପାଦେୟ ପୁସ୍ତକ ବୋଲି ସେ କହିଥିଲେ।
ପୂର୍ବତନ ବିଦେଶ ସଚିବ ଅମରେନ୍ଦ୍ର ଖଟୁଆ ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଲେଖକ ଶ୍ରୀ ବଳ ପୁସ୍ତକ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ତଥା ଓଡ଼ିଶା ଫୋରମର ଅଧ୍ୟକ୍ଷ ଗୋକୁଳ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ। କୋଣାର୍କ ପବ୍ଲିସର ପକ୍ଷରୁ ଜିଦା ରାୟ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରଶାସକ, ଲେଖକ, ଆଇନଜୀବୀ ତଥା ସଂସ୍କୃତିପ୍ରେମୀ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/IMG_20220917_200158.jpg)