ଇଜିପ୍ଟ ମସ୍ଜିଦ ଆକ୍ରମଣ: ମୃତ୍ୟୁ ସଂଖ୍ୟା ୩୦୫ରେ ପହଞ୍ଚିଲା
ସେନା କାର୍ଯ୍ୟାନୁଷ୍ଠାନରେ ଶତାଧିକ ଆଇଏସ୍ ଆତଙ୍କବାଦୀ ନିପାତ
କାଇରୋ: ଉତ୍ତର ଇଜିପ୍ଟର ସିନାଇସ୍ଥିତ ଅଲ୍-ରାଓ୍ଵଦ୍ ମସଜିଦ୍ରେ ଶୁକ୍ରବାର ଆଇଏସ୍ ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ପରେ ମୃତ୍ୟୁ ସଂଖ୍ୟା ୩୦୫ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୨୫ ଜଣ ଶିଶୁ ରହିଥିବା ସ୍ଥାନୀୟ ପ୍ରଶାସନ କହିଛି। ଏକ ସୁଫି ମସ୍୍ଜିଦ ଉପରେ ଏଭଳି ବର୍ବର ଆକ୍ରମଣ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଇଜିପ୍ଟ ବାୟୁସେନା ଆଇଏସ୍ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଗତରାତିରୁ ବଡ଼ ଧଣରର ଅଭିଯାନ ଆରମ୍ଭ କରିଛି। ଆଜି ସନ୍ଧ୍ୟା ସୁଦ୍ଧା ୧୦୪ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ସରକାର ଘୋଷଣା କରିଛନ୍ତି। ଅତଙ୍କବାଦୀଙ୍କ ଉପରେ ବିମାନ ଅକ୍ରମଣ ହୋଇଥିବା ବେଳେ ସେମାନଙ୍କ ୯ଟି ଆଡ଼ା ଛାରଖାର ହୋଇଯାଇଛି। ଇଜିପ୍୍ଟର ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ସଂପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଘଟଣା ପାଇଁ ଇଜିପ୍ଟରେ ମୃତାହତ ହୋଇଥିବା ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଆକ୍ରମଣରେ ନ୩୦ରୁ ଅଧିକ ଆତଙ୍କବାଦୀ ସାମିଲ ଥିଲେ ଏବଂ ସେମାନଙ୍କ ହାତରେ ଆଇଏସ୍ ପତାକା ରହିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଆତଙ୍କବାଦୀଙ୍କର ବର୍ବର ସଂହାରଲୀଳା ପରେ ଏହାର ପ୍ରତିଶୋଧ ପାଇଁ ଇଜିପ୍ଟ ସେନା ଆରମ୍ଭ କରିଥିବା କାର୍ଯ୍ୟାନୁଷ୍ଠାନ ଆଇଏସ୍କୁ ମୂଳପୋଛ କରିବା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି। ସିନାଇ ଅଂଚଳରେ ୯ ହଜାର ସୈନିକ ଆତଙ୍କବାଦୀ ନିପାତ ଅଭିଯାନରେ ନିୟୋଜିତ ଅଛନ୍ତି। ସିନାଇ ଆଖପାଖ ଅଞ୍ଚଳରେ ହଜାରେରୁ ଅଧିକ ଆତଙ୍କବାଦୀ ଥିବା ସୂଚନା ମିଳିଛି । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଇଜିପ୍ଟ ସେନାର ଅଭିଯାନକୁ ଜାତିସଂଘ ସ୍ୱାଗତ କରିଛି।