କାଇରୋ: ଭାରତ ଓ ଇଜିପ୍ଟ୍ ମଧ୍ୟରେ ୭.୨ ବିଲିୟନ୍ ଡଲାର୍ ବାଣିଜ୍ୟ କାରବାର ଯଥେଷ୍ଟ ନୁହେଁ ବୋଲି ଇଜିପ୍ଟ୍ର ରାଷ୍ଟ୍ରପତି ଅବ୍ଦେଲ୍ ଫତ୍ତାହ୍ ଏଲ୍-ସିସି ତାଙ୍କୁ କହିଥିବା କଥା ରବିବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।
ଜୟଶଙ୍କର କହିଛନ୍ତି, ଏତିକି ପରିମାଣର ବାଣିଜ୍ୟକାରବାର ଯଥେଷ୍ଟ ବୋଲି ତାଙ୍କର ମନେହୁଏ ନାହିଁ ବୋଲି ରାଷ୍ଟ୍ରପତି ସିସି ମୋତେ କହିଛନ୍ତି। ତେଣୁ, ସେ ଆମକୁ ଅନୁରୋଧ କରି କହିଛନ୍ତି, ବ୍ୟବସାୟ ବୃଦ୍ଧି କରିବା ପାଇଁ ଉପାୟ କରନ୍ତୁ। ମୁଁ ଜାଣେ, ଆମ ପ୍ରଧାନମନ୍ତ୍ରୀ ମଧ୍ୟ ସମାନ କଥା ଚିନ୍ତା କରୁଛନ୍ତି।
ଇଜିପ୍ଟ୍ର ରାଷ୍ଟ୍ରପତିଙ୍କୁ ଭେଟିବା ବେଳର ଫଟୋ ମଧ୍ୟ ଜୟଶଙ୍କର ଟୁଇଟର୍ରେ ସେୟାର କରିଛନ୍ତି। ସେଥିରେ ଲେଖିଛନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଦେଲି ଓ ବ୍ୟକ୍ତିଗତ ବାର୍ତ୍ତାଟିଏ ବି ଦେଲି। ସ୍ବାଧୀନ ମନୋଭାବସମ୍ପନ୍ନ ଦେଶ ଭାବେ ଭାରତ ଓ ଇଜିପ୍ଟ୍ର ବୈଶ୍ବିକ ବିତର୍କରେ ଅବଦାନ ରହିଛି। ଉଭୟ ଶାନ୍ତି, ପ୍ରଗତି ଓ ବିକାଶର ପୃଷ୍ଠପୋଷକ ଅଟନ୍ତି।
ସମ୍ପ୍ରତି ଇଜିପ୍ଟ୍ ଗସ୍ତରେ ଥିବା ଜୟଶଙ୍କର ରବିବାର ଦିନ ‘ଇଣ୍ଡିଆ-ଇଜିପ୍ଟ୍ ବିଜ୍ନେସ୍ ଫୋରମ୍’ରେ ଉଦ୍ବୋଧନ ଦେବା ବେଳେ ଭାରତୀୟ ଉପମହାଦେଶ ସମେତ ବିଶ୍ବର ଅନେକ ପ୍ରାନ୍ତକୁ ପ୍ରଭାବିତ କରୁଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ଦେଖନ୍ତୁ, ଏଥର ୟୁରୋପରେ କେଉଁ ପ୍ରକାର ଗ୍ରୀଷ୍ମ ଅନୁଭୂତ ହେଲା। ଭାରତୀୟ ଉପମହାଦେଶରେ ଅଭୂତପୂର୍ବ ବନ୍ୟା, ଥଣ୍ଡା ଓ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି।
ପ୍ରତ୍ୟେକ ‘କନ୍ଫରେନ୍ସ୍ ଅଫ୍ ଦି ପାର୍ଟିଜ୍’ (ସିଓପି) ଶିଖର ସମ୍ମିଳନୀରେ ଜଳବାୟୁ ଜରୁରୀପରିସ୍ଥିତି ଉପରେ ଦୃଷ୍ଟିପାତ କରାଯିବା ଆବଶ୍ୟକ ହୋଇପଡ଼ିଛି। ସମ୍ମିଳନୀଦ୍ବାରା ନୁହେଁ, କେବଳ ନୀତିଦ୍ବାରା ଏହାର ସ୍ଥାୟୀ ସମାଧାନ କରାଯାଇପାରିବ। ଜଳବାୟୁ ସଂକ୍ରାନ୍ତ ଏହି ନୀତି ସବୁ ବାଣିଜ୍ୟ ମାଧ୍ୟମରେ ଲାଗୁ କରାଯାଇ ପାରିବ।
ଏଠାରେ ବ୍ୟବସାୟିକ ଅଭିବୃଦ୍ଧି ସମ୍ଭାବନା ଥିବାରୁ ଇଜିପ୍ଟ୍ ଭଳି ସ୍ଥାନକୁ ଅନେକ ଖ୍ୟାତିସମ୍ପନ୍ନ ଭାରତୀୟ କମ୍ପାନି ଆସୁଛନ୍ତି। ଏହା ଆମ କମ୍ପାନିଗୁଡ଼କ ପାଇଁ ଖୁବ୍ ବଡ଼ କଥା। ନିବେଶ ପାଇଁ ଆପଣମାନେ ବିଶ୍ବସନୀୟତାର ମଧ୍ୟ ଗୁରୁତ୍ବ ରହିଛି। ଆଜିକାଲି ଭାରତୀୟ କମ୍ପାନି ସବୁ ବିଶ୍ବବ୍ୟାପୀ ପ୍ରକଳ୍ପ ଚଳାଇଛନ୍ତି, ଯାହା ୧୦ ବର୍ଷ ପୂର୍ବେ ସେମାନେ କରି ନ ଥିଲେ।
ସୂଚନାଯୋଗ୍ୟ, ଆସନ୍ତା ମାସରେ ଇଜିପ୍ଟ୍ରେ ‘ୟୁଏନ୍ କ୍ଲାଇମେଟ୍ ସମିଟ୍’ ଆରମ୍ଭ ହେବ।