ତୁର୍କୀ ଫେରାଇଦେଇଥିବା ଭାରତୀୟ ଗହମକୁ ନେବାକୁ ମନା କରିଦେଲା ଇଜିପ୍ଟ

କାଇରୋ : ତୁର୍କୀ ଫେରାଇଦେଇଥିବା ଭାରତୀୟ ଗହମକୁ ନେବାକୁ ମନା କରିଦେଇଛି ଇଜିପ୍ଟ । ଏ ସମ୍ପର୍କରେ ଇଜିପ୍ଟର ଜଣେ ଅଧିକାରୀ ଅହମ୍ମଦ ଏଲ ଅଟର କହିଛନ୍ତି । ତେବେ ବିଶ୍ବର ବୃହତ୍ତମ ଗହମ ଆମଦାନୀକାରୀ ଇଜିପ୍ଟର ଏକ କମ୍ପାନି ପକ୍ଷରୁ ସିଧାସଳଖ କିଣାଯାଇଥିବା ଗହମକୁ ଶନିବାର ରାତିରେ କାଇରୋ ପହଞ୍ଚିବ ।

ତୁର୍କୀକୁ ପଠାଯାଇଥିବା ୫୫ ହଜାର ଟନ ଗହମକୁ ଗ୍ରହଣ କରିବାକୁ ତୁର୍କୀ ମନା କରିଦେଇଥିଲା । ଭାରତୀୟ ଗହମରେ ଭୁତାଣୁ ଥିବା ଦର୍ଶାଇ ତୁର୍କୀ ଏହାକ ଗ୍ରହଣ କରିବାକୁ ମନା କରିଦେଇଥିଲେ । ପରେ ଏହି ଗହମକୁ ଇଜିପ୍ଟ ପଠାଇବାକୁ ଭାରତ ନିଷ୍ପତ୍ତି ନେଇଥିଲା । କିନ୍ତୁ ଇଜିପ୍ଟ ମନା କରିବାପରେ ଭାରତ ଚିନ୍ତାରେ ପଡ଼ିଯାଇଛି ।

ଭାରତ ସରକାର  ଗତ ମେ ୧୪ରେ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ । ଦେଶରେ ଗହମର ଦରବୃଦ୍ଧିକୁ ରୋକିବାକୁ ଓ ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ତେବେ ଜି-୭ ଦେଶ ସମେତ ବିଶ୍ବର କେତେକ ପ୍ରମୁଖ ଦେଶ ରପ୍ତାନି କଟକଣା ଉଠାଇବାକୁ ଭାରତକୁ ଅନୁରୋଧ କରିଥିଲେ । ଏହା ପରେ ଭାରତ ସରକାର ଗହମ ରପ୍ତାନିକୁ ସାମାନ୍ୟ କୋହଳ କରିଥିଲେ ଓ ପୂର୍ବରୁ ଅର୍ଡର ଥିବା ଗହମ ରପ୍ତାନିକୁ ଅନୁମତି ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ଯୁଦ୍ଧ ପରେ ବିଶ୍ବ ବଜାରରେ ଗହମର ଅଭାବ ଦେଖାଦେଇଛି । ଉଭୟ ୟୁକ୍ରେନ ଓ ରୁଷ ପ୍ରମୁଖ ଗହମ ରପ୍ତାନିକାରୀ ଦେଶ ହୋଇଥିବାରୁ ଏହି ଅଭାବ ଦେଖାଦେଇଛି ।

 

 

ସମ୍ବନ୍ଧିତ ଖବର