ରୁଷ, ୟୁକ୍ରେନରୁ ଆସୁନି ଗହମ ; ଭାରତରୁ ୧୦ ଲକ୍ଷ ଟନ ଗହମ କିଣିବ ଇଜିପ୍ଚ

ନୂଆଦିଲ୍ଲୀ : ଭାରତରୁ ଗହମ ଆମଦାନି କରିବାକୁ ନିଷ୍ପତ୍ତି ନେଇଛି ଆଫ୍ରିକୀୟ ଦେଶ ଇଜିପ୍ଟ । ଏହି ଦେଶ ପୂର୍ବରୁ ରୁଷ ଓ ୟୁକ୍ରେନରୁ ଗହମ ଆମଦାନି କରୁଥିଲା । କିନ୍ତୁ ଯୁଦ୍ଧ ଆରମ୍ଭ ହେବା ପରେ ସେସବୁ ଦେଶରୁ ଗହମ ଯୋଗାଣ ବନ୍ଦ ହୋଇଯାଇଛି । ଏହି କାରଣରୁ ଇଜିପ୍ଟ ଭାରତରୁ ଗହମ କିଣିବାକୁ ନିଷ୍ପତ୍ତି ନେଇଛି ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ।

ସେ କହିଛନ୍ତି ଯେ ଭାରତକୁ ଏକ ଗହମ ରପ୍ତାନକାରୀ ଦେଶଭାବେ ଇଜିପ୍ଟ ସ୍ବୀକୃତି ଦେଇଛି । ଇଜିପ୍ଟ ପୂର୍ବରୁ ରୁଷ ଓ ୟୁକ୍ରେନରୁ ଗହମ ଆମଦାନି କରୁଥିଲା । ୨୦୨୦ରେ ଏହି ଦେଶ ରୁଷର ୧.୮ ବିଲିୟନ ଡଲାର ମୂଲ୍ୟର ଓ ୟୁକ୍ରେନରୁ ୬୧୦ ନିୟୁତ ଡଲାର ମୂଲ୍ୟର ଗହମ ଆମଦାନି କରିଥିଲା । ଇଜିପ୍ଚ ଭାରତରୁ ମୋଟ ୧ ନିୟୁତ ଟନ ଗହମ ଆମଦାନୀ କରିବାକୁ ଯୋଜନା କରୁଛି । କେବଳ ଏପ୍ରିଲ ମାସରେ ୨.୪ ଲକ୍ଷ ଟନ ଗହମ କିଣିବ ।

ବିଶ୍ବରେ ରୁଷିଆ ଓ ୟୁକ୍ରେନ ପ୍ରମୁଖ ଗହମ ରପ୍ତାନିକାରୀ ଦେଶ ଭାବେ ଜଣାଶୁଣା । ଏହା ସହିତ ପୂର୍ବ ୟୁରୋପର କେତେକ ଦେଶ ବି ଗହମ ରପ୍ତାନି କରନ୍ତି । ଏସବୁ ରପ୍ତାନି କାରବାର କୃଷ୍ଣ ସାଗର ମଧ୍ୟ ଦେଇ ହୋଇଥାଏ । କିନ୍ତୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ କୃଷ୍ଣ ସାଗରରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ଅନୁମତି ଦିଆଯାଉନାହିଁ । ଫଳରେ ବିଶ୍ବ ବଜାରରେ ଗହମ ଯୋଗାଣ ବାଧାପ୍ରାପ୍ତ ହୋଇଛି । କିନ୍ତୁ ଭାରତକୁ ଏହାର ଫାଇଦା ମିଳିବା ଆଶା କରାଯାଉଛି । କାରଣ ଭାରତ ନିଜ ଆବଶ୍ୟକତାଠାରୁ ଅଧିକ ଗହମ ଉତ୍ପାଦନ କରିଥାଏ ।

ସମ୍ବନ୍ଧିତ ଖବର