ସୁଏଜ୍ ସଂକଟ ପାଇଁ ୭ ହଜାର କୋଟିର କ୍ଷତିପୂରଣ ମାଗିବ ଇଜିପ୍ଟ

ନୂଆଦିଲ୍ଲୀ : ଗତ ସପ୍ତାହରେ ସୃଷ୍ଟି ହୋଇଥିବା ସୁଏଜ କେନାଲ ସଂକଟ ପାଇଁ ୧ ବିଲିୟନ ଡଲାର ( ପ୍ରାୟ ୭ ହଜାର ୩ଶହ କୋଟି) ର କ୍ଷତିପୂରଣ ମାଗିବ ଇଜିପ୍ଟ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୁଏଜ କେନାଲ ଅଥରିଟିର ସିଇଓ ଓସାମା ରାବି । ପ୍ରାୟ ସପ୍ତାହ କାଲ ଏଭର ଗିଭିନ ଜାହାଜ ଫସିରହିବା ଯୋଗୁଁ ଇଜିପ୍ଟ ବ୍ୟାପକ କ୍ଷତି ସହିଛି । ଏହି ସଂକଟ ଯୋଗୁଁ ଇଜିପ୍ଟ ବିପୁଳ ପରିମାଣର ପ୍ରବେଶ ଶୁଳକ ହରାଇଛି, ପୁଣି ଉଦ୍ଧାର କାର୍ଯ୍ୟ, ଖନନ କାର୍ଯ୍ୟ ଆଦି ବାବଦରେ ବିପୁଳ ଅର୍ଥ ବ୍ୟୟ ହୋଇଛି । ଏଣୁ ପ୍ରାୟ ୧ ବିଲିୟନ ଡଲାରର କ୍ଷତିପୂରଣ ଦାବି କରାଯିବ । ତେବେ କାହାକୁ ଏହି କ୍ଷତିପୂରଣ ଦାବି କରାଯିବ ସେ ସମ୍ପର୍କରେ ସେ କିଛି କହିନାହାନ୍ତି ।

ସୁଏଜ କେନାଲ ଭୂମଧ୍ୟ ସାଗରକୁ ଲୋହିତ ସାଗର ସହ ଯୋଡ଼ିଥାଏ । ବିଶ୍ବ ବାଣିଜ୍ୟ ପାଇଁ ଏହି କେନାଲର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ କାରଣ ବିଶ୍ବ ବାଣିଜ୍ୟର ପ୍ରାୟ ୨୦ ପ୍ରତିଶତ କାରବାର ଏହି କେନାଲ ଦେଇ ଯାତାୟାତ କରିଥାଏ । ମଧ୍ୟଏସିଆର ତେଲ ଓ ଗ୍ୟାସ ଏହି ବାଟ ଦେଇ ୟୁରୋପରେ ପହଞ୍ଚିଥାଏ । ସେହିପରି ୟୁରୋପର ବିଭିନ୍ନ ପଣ୍ୟଦ୍ରବ୍ୟ ଏହି କେନାଲ ବାଟ ଦେଇ ଏସିଆରେ ପହଞ୍ଚିଥାଏ । କିନ୍ତୁ ଗତ ମାର୍ଚ୍ଚ ୨୩ରେ ଜାପାନର ସୋଇ କିସେନ କାଇସା ନାମକ କମ୍ପାନି ମାଲିକାନାରେ ଥିବା ୪୦୦ ମିଟର ଲମ୍ବ ଏଭର ଗିଭିନ ସୁଏଜ କେନାଲରେ ଫସିଯାଇଥିଲା । ଏହା ପରେ ହିଁ ପ୍ରାୟ ୧ ସପ୍ତାହ ଧରି ସୁଏଜ କେନାଲ ସଂକଟ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର