କାଇରୋ: ଏକ ଦ୍ବିଦେଶୀୟ ଗସ୍ତର ଦ୍ବିତୀୟ ଚରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଜିପ୍ଟରେ ପହଞ୍ଚିଛନ୍ତି। କାଇରୋରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ମୋସ୍ତାଫା ମାଦବୌଲି ତାଙ୍କୁ ସ୍ବାଗତ କରିଥିଲେ। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଇଜିପ୍ଟ ଗସ୍ତ ଏବଂ ଏହା ୨୬ ବର୍ଷ ଭିତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ବିପାକ୍ଷିକ ଗସ୍ତ। ରବିବାର ମୋଦୀ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଅଲ୍-ସିସିଙ୍କୁ ସାକ୍ଷାତ୍ କରିବେ।
ଅଲ୍-ସିସିଙ୍କ ସହ ଆଲୋଚନା ସହିତ ମୋଦୀ ଇଜିପ୍ଟର ବରିଷ୍ଠ ଅଧିକାରୀ ଓ ପ୍ରମୁଖ ବ୍ୟକ୍ତିତ୍ବଙ୍କ ସହ ମଧ୍ୟ ଆଲୋଚନା କରିବେ। ଇଜିପ୍ଟ ସହ ଭାରତର ସମ୍ପର୍କ ବହୁ ପୁରାତନ। ପ୍ରାଚୀନ ଯୁଗରେ ଏହି ଦେଶ ସହ ଭାରତର ସାଂସ୍କୃତିକ, ବାଣିଜ୍ୟିକ ଓ ଅର୍ଥନୈତିକ ସମ୍ପର୍କ ଥିଲା। ଦୁଇ ଦେଶର ଜନସାଧାରଣଙ୍କ ଭିତରେ ବି ବହୁ ପ୍ରାଚୀନ ଯୁଗରୁ ସମ୍ପର୍କ ରହିଆସିଛି।
ଗତ ଜାନୁଆରି ମାସରେ ରାଷ୍ଟ୍ରପତି ଅଲ୍-ସିସିଙ୍କ ଭାରତ ଗସ୍ତ ଅବସରରେ ଦୁଇ ଦେଶର ରଣନୈତିକ ସମ୍ପର୍କ ବୃଦ୍ଧି ନେଇ ସହମତି ପ୍ରକାଶ ପାଇଥିଲା। ରାଷ୍ଟ୍ରୀୟ ଅତିଥି ଭାବେ ଅଲ୍-ସିସି ଭାରତର ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେଇଥିଲେ। ସେତେବେଳେ ଦୁଇ ଦେଶ ମଧ୍ୟରେ୨୦୨୧-୨୨ରେ ଥିବା ୭୩୦ କୋଟିରୁ ୧୨୦୦ କୋଟି ଡଲାର ପର୍ଯ୍ୟନ୍ତ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ସହମତି ପ୍ରକାଶ ପାଇଥିଲା। ସାଇବର ସୁରକ୍ଷା, ସୂଚନା-ପ୍ରଯୁକ୍ତି, ସଂସ୍କୃତି ଓ ପ୍ରସାରଣ କ୍ଷେତ୍ରରେ ସହଯୋଗ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ୫୦ରୁ ଊର୍ଦ୍ଧ୍ବ ଭାରତୀୟ କମ୍ପାନି ଇଜିପ୍ଟରେ ୩୧୫ କୋଟି ଡଲାର ପର୍ଯ୍ୟନ୍ତ ପୁଞ୍ଜିନିବେଶ କରିଛନ୍ତି।
ଇଜିପ୍ଟ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କାଇରୋସ୍ଥିତ ହେଲିଓପୋଲିସ ମେମୋରିଆଲରେ ପ୍ରଥମ ବିଶ୍ବଯୁଦ୍ଧରେ ମୃତ୍ୟୁବରଣ କରିଥିବା ୪୦୦୦ ଭାରତୀୟ ସୈନ୍ୟଙ୍କ ସ୍ମୃତିସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ହେଲିଓପୋଲିସ କମନୱେଲ୍ଥ ୱାର୍ ଗ୍ରେଭ୍ସ ସିମେଣ୍ଟାରୀରେ ମଧ୍ୟ ଦ୍ବିତୀୟ ବିଶ୍ବଯୁଦ୍ଧରେ ସହିଦ ହୋଇଥିବା ୧୭୦୦ ରାଜ୍ୟଗୋଷ୍ଠୀ ସୈନିକଙ୍କ ସ୍ମୃତି ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଇଜିପ୍ଟରେ କାଇରୋ ହୋଟେଲରେ ରହଣି କରିବେ।