ସୁଏଜ୍‌ କେନାଲ୍‌ ଅବରୋଧ ନିମନ୍ତେ ମିଛରେ ନିନ୍ଦିତ ହେଉଛନ୍ତି ଇଜିପ୍ଟର୍‌ ପ୍ରଥମ ମହିଳା ଜାହାଜ କ୍ୟାପ୍‌ଟେନ୍‌ ମାର୍‌ଓ୍ଵା

ନୂଆଦିଲ୍ଲୀ: ସୁଏଜ୍‌ କେନାଲ୍‌ ଅବରୋଧ ଘଟଣା ସଂକ୍ରାନ୍ତରେ ପ୍ରସାରିତ ହେଉଥିବା ଏକ ମିଥ୍ୟା ଖବରରେ ଇଜିପ୍‌ଟ୍‌ର ପ୍ରଥମ ମହିଳା ଜାହାଜ କପ୍ତାନ୍‌ (କ୍ୟାପ୍‌ଟେନ୍‌) ମାର୍‌ଓ୍ଵା ଏଲ୍‌ସେଲେଦାର୍‌ଙ୍କୁ ଦାୟୀ କରାଯାଉଛି ବୋଲି ‘ବିବିସି’ ରିପୋର୍ଟ କରିଛି।

କିନ୍ତୁ, ପ୍ରକାଣ୍ଡ ପଣ୍ୟବାହୀ ପୋତ ‘ଏଭର୍‌ ଗିଭେନ୍‌’ ସୁଏଜ୍‌ କେନାଲ୍‌ରେ ଲାଖି ରହିଥିବା ବେଳେ ୨୯ ବର୍ଷୀୟ ଏଲ୍‌ସେଲେଦାର୍‌ ଶହ ଶହ ମାଇଲ୍‌ ଦୂର ଭୂମଧ୍ୟସାଗର ତଟବର୍ତ୍ତୀ ବନ୍ଦର ନଗରୀ ଆଲେକ୍‌ଜାଣ୍ଡ୍ରିଆରେ ଡିୟୁଟି କରୁଥିଲେ।

ସେ କହିଛନ୍ତି, ବିସ୍ମୟରେ ମୁଁ ବିଚଳିତ ହୋଇଗଲି। ଏ କ୍ଷେତ୍ରରେ ସଫଳ ମହିଳା ହୋଇଥିବା ହେତୁ କିଂବା ଇଜିପ୍ଟ୍‌ବାସିନୀ ହୋଇଥିବାରୁ ମତେ ନିନ୍ଦିତ କରାଯାଇଛି, ସେ ବାବଦରେ ମୁଁ ନିଶ୍ଚିତ ନୁହେଁ।

ରିପୋର୍ଟ ଅନୁସାରେ, ବିଶ୍ୱର ୨% ମହିଳା ନାବିକଙ୍କ ମଧ୍ୟରୁ ଏଲ୍‌ସେଲେଦାର୍‌ ଅନ୍ୟତମା। ସେ ଆହୁରି ମଧ୍ୟ କହିଛନ୍ତି, ଝିଅମାନେ ପରିବାର ଠାରୁ ଦୀର୍ଘ ଦିନ ଦୂରରେ ରହି ସମୁଦ୍ରରେ କାର୍ଯ୍ୟ କରିବା କଥାଟିକୁ ଏବେ ମଧ୍ୟ ଆମ ସମାଜର ଲୋକେ ଗ୍ରହଣ କରି ପାରୁନାହାନ୍ତି। କିନ୍ତୁ, ତୁମକୁ ଭଲ ଲାଗୁଥିବା କାମ କରିବା ପାଇଁ ସମସ୍ତଙ୍କର ସମ୍ମତି ଲୋଡ଼ିବା ଅବାଞ୍ଛନୀୟ।

Image Courtesy of NBC News

ମାର୍ଚ ୨୨ରେ ପ୍ରକାଶିତ ଏହି ମିଥ୍ୟା ଖବରର ଶିରୋନାମାର ‘ସ୍କ୍ରିନ୍‌ସଟ୍‌’ ଏବଂ ଖବର ସହ ମୁଦ୍ରିତ ଏଲ୍‌ସେଲେଦାର୍‌ଙ୍କ ଏକ ପରିବର୍ତ୍ତିତ ଫଟୋ ସାମାଜିକ ଗଣମାଧ୍ୟମରେ ସମ୍ପ୍ରସାରିତ ହେଉଛି। ତେଣୁ, ସୁଏଜ୍‌ ଅବରୋଧ ଘଟଣାରେ ସେ ଜଡ଼ିତ ବୋଲି ଚାରିଆଡ଼େ ଗୁଜବ ଉଠିଛି।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ମିଥ୍ୟା ସମାଚାର ଇଂରାଜୀ ଭାଷାରେ ପ୍ରକାଶିତ ହୋଇଥିବାରୁ ଅନ୍ୟ ଦେଶଗୁଡ଼ିକୁ ବ୍ୟାପୀ ଯାଇଛି। ମୋର ଖ୍ୟାତି ଏବଂ ଏ ସ୍ତରରେ ପହଞ୍ଚିବାକୁ ମୁଁ କରିଥିବା ସମସ୍ତ ଉଦ୍ୟମ ଉପରେ କୁପ୍ରଭାବ ପଡ଼ିବାରୁ ମୁଁ ଉକ୍ତ ଖବର ମିଥ୍ୟା ବୋଲି ସାବ୍ୟସ୍ତ କରିବାକୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଲା।

ସୂଚନାଯୋଗ୍ୟ, ଏକ ନଭଶ୍ଚୁମ୍ଭୀ ଅଟ୍ଟାଳିକା ଆକାରର ପଣ୍ୟବାହୀ ପୋତ ‘ଏଭର୍‌ ଗିଭେନ୍‌’ ସୁଏଜ୍‌ କେନାଲ୍‌ରେ ଲାଖି ଯିବାରୁ ସେ ଅନ୍ୟାନ୍ୟ ଜାହାଜ ସବୁ ଗମନାଗମନ କରି ପାରି ନ ଥିଲେ। ବହୁ ଉଦ୍ୟମ ପରେ ମାର୍ଚ ୨୯ ତାରିଖ ଦିନ ‘ଏଭର୍‌ ଗିଭେନ୍‌’କୁ ସେଠାରୁ ମୁକ୍ତ କରାଯିବାରୁ ପୁଣି ସେ ପଥରେ ଗମନାଗମନ ସ୍ୱାଭାବିକ ହୋଇଛି।

ସମ୍ବନ୍ଧିତ ଖବର