କଡାସୁରକ୍ଷା ମଧ୍ୟରେ ଜମ୍ମୁ-କଶ୍ମୀରରେ ପାଳନ ହେଉଛି ଇଦ୍

ଶ୍ରୀନଗର:  ସାରା ଦେଶରେ ଆଜି ପାଳିତ ହେଉଛି ଇଦ୍-ଉଲ୍-ଜୁହା । ଇଦକୁ ଆଖିରେ ରଖି କଶ୍ମୀରରେ କଟକଣାକୁ କୋହଳ କରାଯାଇଛି । କଡା ସୁରକ୍ଷା ଭିତରେ ଜମ୍ମୁକଶ୍ମୀରରେ ପାଳିତ ହେଉଛି ଇଦ୍ ।  ଜମ୍ମୁକଶ୍ମୀରର ବିଭିନ୍ନ ଅଂଚଳର ମସଜିଦରେ ସମୂହ ନମାଜ ପାଠ କରୁଛନ୍ତି ମୁସଲମାନ ଶ୍ରଦ୍ଧାଳୁ । ହେଲେ ଉପତ୍ୟକାରେ ଥିବା ବଡ଼ ବଡ଼ ମସଜିଦରେ ବହୁ ଲୋକଙ୍କ ସମାଗମ ଉପରେ କଟକଣା ଲଗାଯାଇଛି ।

ପ୍ରବଳ ଲୋକ ଗହଳିର ଫାଇଦା ଉଠାଇ ଅସମାଜିକ ବ୍ୟକ୍ତି କିଛି ଅଘଟଣ କରିବା ଆଶଙ୍କା କରିଛି ପ୍ରଶାସନ । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବକରୀ ଇଦ୍ ପାଇଁ ଶ୍ରୀନଗର ସହରରେ ୬ ମଣ୍ଡି ବସାଇବା ସହ ଅଢେଇ ଲକ୍ଷ ବକରୀ ଯୋଗାଇ ଦିଆଯାଇଛି । ପନିପରିବା, କୁକୁଡା, ଅଣ୍ଡା, ଗ୍ୟାସ ସିଲିଣ୍ଡର ହୋମ ଡେଲିଭରି କରିବା ପାଇଁ ଗାଡି ମଧ୍ୟ ଯୋଗାଇଦେଇଛି ପ୍ରଶାସନ । ଏହାଛଡା ମୋବାଇଲ ଇଂଟରନେଟ ବନ୍ଦ ଥିବାରୁ ପ୍ରିୟଜନଙ୍କ ସହ କଥା ହେବା ପାଇଁ ୩୦୦ ଟେଲିଫୋନ ବୁଥ ମଧ୍ୟ ଖୋଲାଯାଇଛି।

ସେପଟେ, ବକରୀ ଇଦ୍ କିମ୍ବା ସ୍ୱାଧିନତା ଦିବସରେ ଆକ୍ରମଣ ପାଇଁ ଜୈସ ଆତଙ୍କବାଦୀ ପ୍ରସ୍ତୁତି ଚଲାଇଥିିବା ଗୁଇନ୍ଦା ସୂଚନା ମିଳିଛି । ଏହାକୁ ଆଖିରେ ରଖି ସୁରକ୍ଷା କର୍ମୀଙ୍କୁ ଅଲର୍ଟ କରାଯାଇଛି । ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡିଛି ପାକିସ୍ତାନ । ଏଥିପାଇଁ ଭାରତରେ ଆତଙ୍କୀ ହମଲା କରିବା ପାଇଁ ପ୍ରତିବନ୍ଧିତ ସଂଗଠନ ଜୈଶ-ଏ-ମହମ୍ମଦକୁ ସଂବୁଜ ସଙ୍କେତ ଦେଇଛି ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସଆଇ । ସୁରକ୍ଷା ଅଧିକାରୀ ସନ୍ଦେହ କରୁଛନ୍ତି, ଜୈଓ ଆତଙ୍କୀ କୌଣସି ମସଜିଦକୁ ଟାର୍ଗେଟ କରିପାରନ୍ତି । ଅଧିକ ମୃତାହତ ହେଲେ ଯେପରି ବିଶ୍ୱସ୍ତରରେ ଭାରତ ଉପରେ ଦୋଷ ଲଦି ପାରିବ ପାକିସ୍ତାନ ।

ସମ୍ବନ୍ଧିତ ଖବର