କଶ୍ମୀରରେ କଡ଼ା ସୁରକ୍ଷା ମଧ୍ୟରେ ଇଦ୍‌ ପାଳନ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଇଦ୍‌ ପାଳନ ହୋଇଛି। ଜମ୍ମୁ କଶ୍ମୀରର ସମସ୍ତ ଜିଲ୍ଲାରେ ଇଦ୍‌ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି ବୋଲି ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନେକ ମସଜିଦ୍‌ରେ ଲୋ‌କେ ସମୂହ ଇଦ୍ ପ୍ରାର୍ଥନା କରୁଥିବାର ଫଟୋ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ତେବେ ଜାଣିବାକୁ ମିଳିଛି, ଶ୍ରୀନଗରର ପ୍ରମୁଖ ମସଜିଦ୍‌ ଗୁଡ଼ିକରେ ଇଦ୍‌ ପ୍ରାର୍ଥନା ହୋଇନାହିଁ। ଇଦ୍‌ ଅବସରରେ ଜେଇଏମ୍‌ ପକ୍ଷରୁ ଆକ୍ରମଣ ଯୋଜନା ଥିବା ଜଣାପଡ଼ିବାପରେ ସବୁ ମସଜିଦ୍‌ରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କୌଣସି ସ୍ଥାନରେ ହିଂସା ହୋଇନଥିଲେ ବି କଶ୍ମୀରରେ ପୂର୍ବଭଳି ଉତ୍ସାହ ନାହିଁ। ଅନେକ ସ୍ଥାନ ଶୁନ୍‌ଶାନ୍। କେବଳ ପୁଲିସର ସାଇରନ୍‌ ଏବଂ ବାୟୁସେନା ବିମାନ ଉଡ଼ାଣର ଶବ୍ଦ ହିଁ ଶୁଣିବାକୁ ମିଳୁଛି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଆଜି ଜମ୍ମୁର ଇଦଗାହରେ ୫,୦୦୦ରୁ ଅଧିକ ଲୋକ ସମ୍ମିଳିତ ଭାବେ ଇଦ୍‌ ପ୍ରାର୍ଥନା କରିଛନ୍ତି। ବାରମୁଳାରେ ୧୦,୦୦୦ ଏବଂ ବାନ୍ଦିପୁରାରେ ୫,୦୦୦ ଲୋକ ଇଦ୍‌ ପ୍ରାର୍ଥନା କରିଥିବା‌ବେଳେ କୁପୱାଡ଼ାର ଇଦଗାହରେ ୩,୫୦୦, ତ୍ରେହଗାମରେ ୩,୦୦୦, ସୋପୁରରେ ୧୫୦୦ ଲୋକ ସମୂହ ଇଦ୍‌ ପ୍ରାର୍ଥନା କରିଛନ୍ତି। ତେବେ ମୋଟ୍‌ ଉପରେ ଇଦ୍‌ ପ୍ରାର୍ଥନା ଶାନ୍ତିପୂର୍ଣ୍ଣ ରହିଛି। ଇଦ୍‌ ପାଇଁ ଗତ ଶନିବାର କଟକଣା କୋହଳ କରାଯାଇଥିଲେ ମଧ୍ୟ ଶ୍ରୀନଗରରେ ହିଂସା ଏବଂ ଆନ୍ଦୋଳନ ହେବାରୁ ଶ୍ରୀନଗରରେ ପୁଣି ଗତକାଲିଠାରୁ କଟକଣା ଜାରି ହୋଇଛି। ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ କୁହାଯାଇଛି, ଜମ୍ମୁର ୫ଟି ଜିଲ୍ଲା ଓ କଶ୍ମୀରର ୯ଟି ଜିଲ୍ଲାରୁ କଟକଣା ହଟାଇ ଦିଆଯାଇଛି।

ସମ୍ବନ୍ଧିତ ଖବର