ଗୋଆରେ ଭୁଶୁଡ଼ିଲା କଂଗ୍ରେସ; ୧୧ରୁ ୮ ବିଧାୟକ ହାତ ଛାଡ଼ି ବିଜେପିରେ ମିଶିଲେ

ପାନାଜୀ : ଗୋଆରେ କଂଗ୍ରେସକୁ ଶକ୍ତ ଝଟ୍‌କା ଲାଗିଛି। ଦଳର ୧୧ ବିଧାୟକଙ୍କ ମଧ୍ୟରୁ ୮ ଜଣ ବୁଧବାର ଦିନ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ସମେତ ମୋଟ୍‌ ୮ ଜଣ ବିଧାୟକ ଆଜି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ତନଭଦେଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଏବେ କଂଗ୍ରେସର ମାତ୍ର ୩ ଜଣ ବିଧାୟକ ଅଛନ୍ତି। ବିଜେପି‌ର ଆସନ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ୮ ଜଣ କଂଗ୍ରେସ ବିଧାୟକ ନିଃସର୍ତ୍ତ ଭାବେ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’କୁ କଟାକ୍ଷ କରି ସେ କହିଛନ୍ତି, ଗୋଆରୁ ‘କଂଗ୍ରେସ ଛୋଡ଼ୋ ଯାତ୍ରା’ ଆରମ୍ଭ ହୋଇଛି।

ଆଜିର ଏହି ଘଟଣାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ବିଜେପି ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ର ସଫଳତା ଦେଖି ବିଜେପି ଗୋଆରେ ଏହାର ‘ଅପରେସନ କିଚଡ଼’କୁ ତ୍ବରାନ୍ବିତ କରିଛି।

୨୦୧୯ରେ ମଧ୍ୟ ଗୋଆରେ କଂଗ୍ରେସରେ ବିଭାଜନ ଘଟିଥିଲା। ୧୫ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ବିଧାୟକ ବିଜେପିରେ ଯୋଗଦେଇଥିଲେ। ଗତ ଫେବ୍ରୁଆରିରେ ଅନୁଷ୍ଠିତ ନିର୍ବାଚନରେ ବିଜେପିକୁ ୨୦ଟି ଆସନ ମିଳିଥିବା ବେଳେ କଂଗ୍ରେସ ୧୧ଟିରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର