ଜୟପୁର: ଆଇସିୟୁ ନେଲା ଜୀବନ। ନିଆଁ ଲାଗିବାରୁ ହେଲା ୮ଜଣଙ୍କ ମୃତ୍ୟୁ। ରବିବାର ବିଳମ୍ବିତ ରାତିରେ ଜୟପୁରର ସୱାଇ ମାନ ସିଂହ (ଏସଏମଏସ) ହସ୍ପିଟାଲର ଟ୍ରମା ଇଣ୍ଟେନ୍ସିଭ କେୟାର ୟୁନିଟ୍ (ଆଇସିୟୁ)ରେ ଏକ ବଡ଼ ଅଗ୍ନିକାଣ୍ଡ ଘଟି ୮ ଜଣ ରୋଗୀଙ୍କ ଜୀବନ ଯାଇଥିବା ଜଣାଯାଇଛି। ହସ୍ପିଟାଲ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ, ଆହୁରି ଅନେକ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସୋମବାର ସକାଳେ ହସ୍ପିଟାଲ ପରିଦର୍ଶନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏକ ଉଚ୍ଚସ୍ତରୀୟ ୬ଜଣିଆ କମିଟି ଗଠନ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ପୋଷ୍ଟରେ ଲେଖାଯାଇଛି ଯେ, "ରାଜସ୍ଥାନର ଜୟପୁରର ଏକ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ଜୀବନ ଯିବା ଖବର ଅତ୍ୟନ୍ତ ଦୁଃଖଦ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ: ପ୍ରଧାନମନ୍ତ୍ରୀ।"
ଏସଏମଏସ ହସ୍ପିଟାଲ ଟ୍ରମା ସେଣ୍ଟର ଇନଚାର୍ଜ ଡାକ୍ତର ଅନୁରାଗ ଧାକଡଙ୍କ ଅନୁଯାୟୀ, ହସ୍ପିଟାଲର ଦ୍ୱିତୀୟ ମହଲାରେ ଥିବା ଟ୍ରମା ଆଇସିୟୁରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଦ୍ରୁତ ଗତିରେ ବ୍ୟାପିବା ସହ ଘନ ବିଷାକ୍ତ ଧୂଆଁ ବାହାରି କିଛି ମିନିଟ୍ ମଧ୍ୟରେ ୱାର୍ଡ ଧୂଆଁମୟ ହୋଇଯାଇଥିଲା। ସେହି ସମୟରେ, ୨୪ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା, ଯେଉଁଥିରୁ ୧୧ଜଣ ଟ୍ରମା ଆଇସିୟୁରେ ଏବଂ ୧୩ ଜଣ ପାଖ ସେମି-ଆଇସିୟୁରେ ଥିଲେ। ୨୪ଜଣଙ୍କ ମଧ୍ୟରୁ ଅଧିକାଂଶ ରୋଗୀ କୋମାରେ ଥିଲେ ଏବଂ ଚାଲି ପାରୁନଥିଲେ। ଆମର ଟ୍ରମା ସେଣ୍ଟର ଦଳ, ନର୍ସିଂ ଅଧିକାରୀ ଏବଂ ୱାର୍ଡ କର୍ମଚାରୀ ତୁରନ୍ତ ଟ୍ରଲି ବ୍ୟବହାର କରି ସେମାନଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଥିଲେ। ଆମେ ଯଥାସମ୍ଭବ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିଲୁ। କିନ୍ତୁ ସିପିଆର ଏବଂ ବଞ୍ଚାଇବାର ସମସ୍ତ ପ୍ରୟାସ ସତ୍ତ୍ୱେ ୮ଜଣ ଗୁରୁତର ରୋଗୀଙ୍କୁ ବଞ୍ଚାଯାଇପାରିନଥିଲା।
Sawai Man Singh Hospital | jaipur