ପାଟନା: ମଦ୍ୟପାନ ଉପରେ ନିଷେଧାଦେଶ ଜାରି ଥିବା ବିହାର ରାଜ୍ୟର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ବିଷାକ୍ତ ମଦ୍ୟପାନ କରି ଆଜି ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଘଟଣା ଜଣାପଡ଼ିବା ପରେ ଏସଂପର୍କରେ ଏବେ ଅନୁସନ୍ଧାନ ଆରମ୍ଭ ହୋଇଛି।

Advertisment

ହସ୍ତଗତ ହୋଇଥିବା ଖବରରୁ ପ୍ରକାଶ, ଦୀପାବଳି ପାଳନ ଅବସରରେ ଆଜି (ଗୁରୁବାର) ସକାଳେ ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ନକଲି ବିଷାକ୍ତ ମଦ ପିଇ ୮ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ବହୁ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ସଂପୃକ୍ତ ଲୋକମାନେ ଟେଲହୁଆ ଗାଁର ବାସିନ୍ଦା ଏବଂ ସେମାନେ ଚାମାର୍ତୋଲି ଅଞ୍ଚଳରେ ମଦ ପିଇଥିଲେ।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ସମସ୍ତ ଆଠ ଜଣ ମୃତବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସାମ୍ବାଦିକମାନଙ୍କୁ ଏ ସଂପର୍କରେ ସୂଚନା ଦେଇ ଆରକ୍ଷୀ ଅଧୀକ୍ଷକ ଉପେନ୍ଦ୍ର ନାଥ ବର୍ମା କହିଛନ୍ତି, ଏ ସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇ ଏବେ ତଦନ୍ତ ଚାଲିଛି ଏବଂ ପ୍ରାଥମିକ ତଦନ୍ତ ପରେ ହିଁ ଅଧିକ ସୂଚନା ଉପଲବ୍ଧ ହେବ। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ପୁଲିସ ଏବେ ଗାଁରେ ଡେରା ପକାଇଛନ୍ତି ବୋଲି ସେ କହିଛନ୍ତି।

ଜଣେ ଗ୍ରାମବାସୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ମଦ ପିଇବା ପରେ ଲୋକମାନେ ଅସୁସ୍ଥ ହେବାକୁ ଆରମ୍ଭ କରିଥିଲେ ଏବଂ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଆଠଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ବିଭିନ୍ନ ସ୍ଥାନୀୟ ଡାକ୍ତରଖାନାରେ ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି। ଗତ ମାସରେ ମଧ୍ୟ ଏହିପରି ଏକ ଘଟଣାରେ ମୁଜାଫରପୁରରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ବିହାରର ନୀତୀଶ କୁମାର ସରକାର ଏପ୍ରିଲ ୫, ୨୦୧୬ରେ ରାଜ୍ୟରେ ମଦ ଉତ୍ପାଦନ, ବାଣିଜ୍ୟ, ସଂରକ୍ଷଣ, ପରିବହନ, ବିକ୍ରୟ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ ସମାଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରେ ମଦ୍ୟପାନ ଉପରେ ପ୍ରତିବନ୍ଧକ ଲଗାଯାଉଛି।