ବିଭିନ୍ନ ହାଇକୋର୍ଟର ଆଠ ଜଣ ବିଚାରପତିଙ୍କୁ ମୁଖ୍ୟ ବିଚାରପତି ଭାବେ ମିଳିଲା ପଦୋନ୍ନତି

ନୂଆଦିଲ୍ଲୀ: ଆଠ ଜଣ ବିଚାରପତିଙ୍କୁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ପଦୋନ୍ନତି ଦେଇଛନ୍ତି। ଏଥିସହ ପାଞ୍ଚଜଣ ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ବିଭିନ୍ନ ହାଇକୋର୍ଟକୁ ବଦଳି କରାଯାଇଛି ବୋଲି ଆଜି ଆଇନ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।

କଲିକତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲଙ୍କୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ପଦୋନ୍ନତି ମିଳିଛି। ଆଇନ ମନ୍ତ୍ରାଳୟର ଆଇନ ବିଭାଗ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ମେଘାଳୟର ଜଷ୍ଟିସ୍‌ ରଣଜିତ ଭି ମୋରେଙ୍କୁ ସେହି ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଛି। କର୍ଣ୍ଣାଟକ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଉନ୍ନୀତ କରାଯାଇଛି।

ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ୍‌ ପ୍ରକାଶ ଶ୍ରୀବାସ୍ତବ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି। ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଆର ଭି ମଲିମାଥ ବର୍ତ୍ତମାନ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ହେବେ।

ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ରିତୁ ରାଜ ଅଓ୍ଵସ୍ତି କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ହେବେ। ସେହିଭଳି କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ ଅରବିନ୍ଦ କୁମାରଙ୍କୁ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଉନ୍ନୀତ କରାଯାଇଛି। ଛତିଶଗଡ଼ ହାଇକୋର୍ଟର ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଛି।

ପୃଥକ ପୃଥକ ଭାବରେ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏ କୁରେଶିଙ୍କୁ ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ସ୍ଥାନାନ୍ତର କରାଯାଇଛି। ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତିଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି।

ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ଥିବା ଜଷ୍ଟିସ ମହମ୍ମଦ ରଫିକ୍‌ ହିମାଚଳ ପ୍ରଦେଶ ହାଇକୋର୍ଟକୁ ପଠାଯାଇଛି। ମେଘାଳୟ ହାଇକୋର୍ଟର ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ସୋମାଡରଙ୍କୁ ସିକିମ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ଜଷ୍ଟିସ ଏ କେ ଗୋସ୍ୱାମୀଙ୍କୁ ଛତିଶଗଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର