କର୍ଣ୍ଣାଟକର ତୁମ୍‌କୂର୍‌ରେ ବସ୍‌ ଓଲଟି ୮ ମୃତ, ୨୫ ଆହତ

ତୁମ୍‌କୂର୍‌: ଆଜି ସକାଳେ କର୍ଣ୍ଣାଟକର ତୁମ୍‌କୂର୍‌ ଜିଲ୍ଲା ଅନ୍ତର୍ଗତ ପବଗଡ଼ ନିକଟରେ ଗୋଟାଏ ବସ୍‌ ଓଲଟି ପଡ଼ିବାରୁ ସେଥିରେ ଯାତ୍ରା କରୁଥିବା ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆଉ ୨୫ଜଣ ବ୍ୟକ୍ତି ଆହତ ହୋଇଥିବା ପୁଲିସସୂତ୍ରରୁ ଜଣାପଡ଼ିଛି।

ଉକ୍ତ ଘରୋଇ ବସ୍‌ଟି ଏନ୍‌.ୱାଇ. ହୋସ୍‌କୋତେ ଓ ପବଗଡ଼ ମଧ୍ୟରେ ଉକ୍ତ ବସ୍‌ଟି ଚଳାଚଳ କରେ।

ଘଟଣାସ୍ଥଳରୁ ଉତ୍ତୋଳିତ ଏକ ଭିଡିଓରେ ଦେଖାଯ‌ାଉଛି, କେତେକ ଯାତ୍ରୀ ଥିବା ବସ୍‌ଟି ଓଲଟି ପଡ଼ିଛି। ପୁଲିସ କହିଛି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇବାରୁ ୬୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ଟି ଓଲଟି ପଡ଼ିଥିଲା।

Image Courtesy of ANI

ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି, ବସ୍‌ରେ ମାତ୍ରାଧିକ ‌ଯାତ୍ରୀ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଶକ୍ଷାର୍ଥୀ। ମୃତ ଯାତ୍ରୀଙ୍କ ମଧ୍ୟରେ ୨ଜଣ ଛାତ୍ର ଥିବା କଥା ଜଣାପଡ଼ିଛି। ଶବଗୁଡ଼ିକୁ ପବଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ତୁମ୍‌କୂର୍‌ ଜିଲ୍ଲା ଦାୟିତ୍ବରେ ଥିବା କର୍ଣ୍ଣାଟକ ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ମଧ୍ୟ ମୃତ୍ୟୁସଂଖ୍ୟା ସୁନିଶ୍ଚିତ କରିଛନ୍ତି।

ଆହତ ହୋଇଥିବା ୨୫ଜଣ ଯାତ୍ରୀଙ୍କୁ ତୁମ୍‌କୂର୍‌ ଏବଂ ପବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଦୁର୍ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର