କାନପୁରରେ ଅପରାଧୀଙ୍କ ନୃଶଂସ କାଣ୍ଡ : ଡିଏସ୍‌ପି ସମେତ ୮ ପୁଲିସଙ୍କୁ ହତ୍ୟା‌

କାନପୁର : ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଅଧୀନସ୍ଥ ଏକ ଗ୍ରାମରେ କୁଖ୍ୟାତ ଅପରାଧୀ ତଥା ୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର୍‌ ବିକାଶ ଦୁବେକୁ ଗିରଫ କରିବାକୁ ଯିବା ସମୟରେ ଏକ ପୁଲିସ ଟିମ୍‌ ଉପରକୁ ପ୍ରବଳ ଗୁଳିବର୍ଷା ହୋଇଛି। ଫଳ‌ରେ ଜଣେ ଡିଏସ୍‌ପିଙ୍କ ସମେତ ସମୁଦାୟ ୮ ଜଣ ପୁଲିସ ଅପରାଧୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ଏସ୍‌ଆଇ ଏବଂ ୪ ଜଣ କନେଷ୍ଟବଳ ଅଛନ୍ତି। ରାଜ୍ୟ ରାଜଧାନୀ ଲକ୍ଷ୍ନୌଠାରୁ ୧୫୦ କିମି ଦୂର କାନପୁରର ଦିକ୍ରୁ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ହତ୍ୟା, ଅପରାଧ, ଦଙ୍ଗା, ଦାଦାବଟି ଆଦାୟ ସମେତ ୬୦ ଟି ଅପରାଧିକ ମାମଲା ଥିବା କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଗିରଫ କରିବାପାଇଁ ପୁଲିସ ତା’ ଗାଁରେ ଏକ ଚଢ଼ଉ ଯୋଜନା କରିଥିଲା। ଏହି ଯୋଜନା କାର୍ଯ୍ୟକାରୀ କରିବାପାଇଁ ୩ଟି ଥାନାର ଏକ ପୁଲିସ ଟିମ୍‌ ସମ୍ପୃକ୍ତ ଗ୍ରାମକୁ ଯାଇଥିଲେ। କିନ୍ତୁ ଅପରାଧୀ ଦୁବେ ଏବଂ ତା’ ସହଯୋଗୀମାନେ ପୁଲିସର ଏହି ଯୋଜନା ସମ୍ପର୍କରେ ଆଗୁଆ ସୂଚନା ପାଇ ପୁଲିସ ଟିମ୍‌ ଉପରେ ଆକ୍ରମଣ କରିବା ପାଇଁ ସୁଚିନ୍ତିତ ଯୋଜନା କରିଥିଲେ।

ୟୁପି ଡିଜିପି ଏଚ୍‌ସି ଅୱସ୍ଥିଙ୍କ କହିବା ଅନୁଯାୟୀ ଅପରାଧୀ ବିକାଶ ଡୁବେ ବିରୋଧରେ ଧାରା ୩୦୭ ଅଧୀନରେ ମାମଲା ରୁଜୁ ହୋଇଥିଲା। ପୁଲିସ ତାକୁ ଗିରଫ କରିବାକୁ ଯାଇଥିଲା। କିନ୍ତୁ ବିକାଶ ଏବଂ ତା’ ସହଯୋଗୀମାନେ ଏ ସମ୍ପର୍କ‌ରେ ଆଗୁଆ ଖବର ପାଇ ରାସ୍ତାରେ ବୁଲ୍‌ଡୋଜର ଏବଂ ଜେସିବି ରଖି ପୁଲିସର ରାସ୍ତା ଅବରୋଧ କରିଥିଲେ। ଏହି ପ୍ରତିବନ୍ଧକକୁ ହଟାଇବାପାଇଁ ପୁଲିସ ଗାଡ଼ିରୁ ଓହ୍ଲାଇବା ସମୟରେ ଅପରାଧୀମାନେ ଚାରିଆଡ଼ୁ ଆଖିବୁଜା ଗୁଳି ଚାଳନା କରିଥିଲେ। ପୁଲିସ ଟିମ୍‌ ମଧ୍ୟ ପାଲାଟା ଜବାବ ଦେଇ ଗୁଳି ଚାଳନା କରିଥିଲେ। ‌ ତେବେ ପୁଲିସ ଟିମ୍‌ ଅପରାଧୀ ଲୁଚିଥିବା ଘର ପାଖାପାଖି ହେବା ସମୟରେ ଛାତ ଉପରୁ ପୁଲିସ ଉପରକୁ ଗୁଳି ଚାଳନା କରାଯାଇଥିଲା। ଫଳ‌ରେ ଡିଏସ୍‌ପି ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଯାଇଛି। ସମ୍ପୃକ୍ତ ଘଟଣା ସମ୍ପର୍କରେ ଖବର ପାଇବା ପରେ କାନପୁର ଅତିରିକ୍ତ ଡିଜି, ଆଇଜି ଏବଂ ବରିଷ୍ଠ ଏସ୍‌ପି ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ। ଫରେନ୍ସିକ୍‌ ଟିମ୍‌ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଘଟଣାରେ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ‌୍ (ଏସ୍‌ଟିଏଫ୍‌) ମଧ୍ୟ ଗଠନ ହୋଇଛି। ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯାଇଛି। କାନପୁର ସୀମା ମଧ୍ୟ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଅପରାଧୀଙ୍କ ଗୁଳିମାଡ଼ରେ ୭ ଜଣ ପୁଲିସ ଏବଂ ଜଣେ ନାଗରିକ ଆହତ ହୋଇଥିବା ଖବର ମିଳିଛି। ପୁଲିସର କିଛି ଅସ୍ତ୍ର ମଧ୍ୟ ଅପରାଧୀମାନେ ନେଇ ପଳାଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସମ୍ପୃକ୍ତ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ବିରୋଧୀ ଦଳ ଗୁଡ଼ିକ ଉକ୍ତ ଘଟଣାରେ ଯୋଗୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଉକ୍ତ ଘଟଣା ଅତ୍ୟନ୍ତ ଲଜ୍ଜାଜନକ। ଅପରାଧୀ ଏବଂ କ୍ଷମତାରେ ଥିବା ଲୋକମାନଙ୍କ ମଧ୍ୟରେ ଥିବା ସମ୍ପୃକ୍ତିକୁ ଏହା ପଦାରେ ପକାଇ ଦେଇଛି।

ସମ୍ବନ୍ଧିତ ଖବର