ନୂଆଦିଲ୍ଲୀ : ରାଜ୍ୟସଭାରେ ଗତକାଲି କୃଷି ବିଲ୍ ଉପରେ ଆଲୋଚନା ବେଳେ ପ୍ରବଳ ହଙ୍ଗାମା କରିଥିବା ସାଂସଦମାନଙ୍କ ବିରୋଧରେ ଆଜି ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ହଙ୍ଗାମା କରିଥିବା କଂଗ୍ରେସର ୩ ଜଣ, ତୃଣମୂଳ କଂଗ୍ରେସର ୨ ଜଣ , ସିପିଆଇଏମ୍ର ୨ ଜଣ ଏବଂ ଆମ୍ ଆଦ୍ମୀ ପାର୍ଟିର ଜଣେ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଚଳିତ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ସେମାନଙ୍କୁ ନିଲମ୍ବନ କରାଯାଇଛି ବୋଲି ଅଧ୍ୟକ୍ଷ ନାଇଡ଼ୁ ଆଜି ଘୋଷଣା କରିଛନ୍ତି। ରାଜ୍ୟସଭାରେ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବି ମୁରଲିଧରନ୍ ବିରୋଧୀ ଦଳର ୮ ଜଣ ସଦସ୍ୟଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବ ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା। ନିଲମ୍ବିତ ହୋଇଥିବା ରାଜ୍ୟସଭା ସାଂସଦମାନେ ହେଲେ ଟିଏମ୍ସିର ଡେରେକ୍ ଓବ୍ରାଏନ୍ ଏବଂ ଡୋଲା ସେନ୍ , କଂଗ୍ରେସର ରାଜୀବ ସାତବ, ସୟଦ ନାସିର ହୁସେନ୍ ଏବଂ ରିପୁନ୍ ବୋରା, ଆପ୍ର ସଂଜୟ ସିଂହ, ସିପିଏମ୍ର କେ କେ ରାଗେଶ ଏବଂ ଇଲାମାରମ୍ କରିମ୍।
ଏହି ସାଂସଦମାନଙ୍କୁ ଅଧ୍ୟକ୍ଷ ନିଲମ୍ବନ କରିବା ପରେ ମଧ୍ୟ ସେମାନେ ଗୃହ ବାହାରକୁ ଯାଇନଥିଲେ। ବରଂ ନିଲମ୍ବନ ଘୋଷଣାକୁ ନେଇ ପୁଣି ହଙ୍ଗାମା ହୋଇଥିଲା। ବାରମ୍ବାର ଗୃହକାର୍ଯ୍ୟକୁ ସ୍ଥଗିତ କରିବାକୁ ପଡ଼ିଥିଲା। ଶେଷରେ ରାଜ୍ୟସଭାକୁ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ଏହାପରେ ନିଲମ୍ବିତ ସାଂସଦମାନେ ନିଜ ନିଜ ଦଳର ଅନ୍ୟ ସଦସ୍ୟଙ୍କ ସହ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ବିରୋଧୀ ଦଳ ସାଂସଦଙ୍କ ଏଭଳି ବ୍ୟବହାରକୁ ବିଜେପି ଗୁଣ୍ଡାଗିରି ବୋଲି କହିଛି।
ଆଜି ସକାଳେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଗତକାଲି ଗୃହରେ ଯାହାକିଛି ଘଟିଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ କିଛି ବିରୋଧୀ ଦଳ ସଦସ୍ୟଙ୍କ ଆଚରଣ ଦୁଃଖଦ ଓ ଅଗ୍ରହଣୀୟ ଥିଲା ବୋଲି କହିଥିଲେ। ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ବିରୋଧୀ ଦଳମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ସେ ଖାରଜ କରିଦେଇଥିଲେ। ଏଥିପାଇଁ ୧୪ ଦିନର ନୋଟିସ ଦିଆଯାଇ ନଥିବା ଦର୍ଶାଯାଇଥିଲା। ବିଶୃଙ୍ଖଳିତ ସାଂସଦମାନେ ଉପାଧ୍ୟକ୍ଷ ହରିବଂଶଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ମାଇକ ଭାଙ୍ଗିଥିଲେ ଏବଂ ନିୟମାବଳି ପୁସ୍ତକକୁ ଫିଙ୍ଗି ଦେଇଥିଲେ। ଗତକାଲି ଗୃହରେ ଯେଉଁ ମର୍ଯ୍ୟାଦାହୀନ ଆଚରଣ ଦେଖିବାକୁ ମିଳିଲା ଏହାର ପୁନରାବୃତ୍ତି ହେବା ଉଚିତ୍ ନୁହେଁ ବୋଲି ଅଧ୍ୟକ୍ଷ ଚେତାଇ ଦେଇଥିଲେ। ହଙ୍ଗାମା କରିଥିବା ସାଂସଦମାନେ ନିଲମ୍ବିତ ହେବାପରେ ସେମାନଙ୍କୁ ତୁରନ୍ତ ଗୃହରୁ ବାହାରିଯିବାକୁ ଅଧ୍ୟକ୍ଷ କହିଥିଲେ ମଧ୍ୟ ସେମାନେ ଯାଇନଥିଲେ ଏବଂ ଏହାକୁ କେନ୍ଦ୍ର କରି ପ୍ରବଳ ହଟ୍ଟଗୋଳ ହୋଇଥିଲା। ଗୃହକାର୍ଯ୍ୟ ୫ ଥର ମୁଲତବୀ ହେବାପରେ ମଧ୍ୟାହ୍ନ ୧୨ଟା ୫ ମିନିଟ୍ରେ ପୂରା ଦିନ ପାଇଁ ଗୃହକୁ ମୁଲତବୀ କରି ଦିଆଯାଇଥିଲା। ଏହାପରେ ନିଲମ୍ବିତ ସାଂସଦମାନେ ଗୃହରୁ ବାହାରି ଆସି ସଂସଦ ପରିସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମାନଙ୍କ ଧାରଣା ଜାରି ରହିବ ବୋଲି କଂଗ୍ରେସର ନିଲମ୍ବିତ ସାଂସଦ ରାଜୀବ ସାତବ କହିଛନ୍ତି।
୪ ଦଳର ୮ ସାଂସଦଙ୍କୁ ନିଲମ୍ବିତ କରାଯିବା ପରେ ବିରୋଧୀ ଦଳମାନେ ଅଧିକ ଆକ୍ରମଣାତ୍ମକ ହୋଇ ପଡ଼ିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରି ମୋ ମମତା ବାନାର୍ଜୀ କହିଛନ୍ତି, ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି ଏବଂ ଏଭଳି କାର୍ଯ୍ୟାନୁଷ୍ଠାନ ସରକାରଙ୍କ ଏକଛତ୍ରବାଦୀ ମାନସିକତାକୁ ଦର୍ଶାଉଛି। ସରକାରଙ୍କ ବିରୋଧରେ ସେ ଉଭୟ ସଂସଦ ଏବଂ ସଡ଼କରେ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ରାଜ୍ୟସଭାରେ ରବିବାର ଯାହା କିଛି ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ। ବିରୋଧୀ ଦଳମାନେ ପ୍ରତିବାଦ କରିବାର ଏଭଳି କୌଶଳ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/8-mps-suspanded.jpg)
