ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ଟର୍ମ ଅଫ୍ ରେଫରେନ୍ସ (ଟିଓଆର୍‌) ବା ସନ୍ଦର୍ଭ ସର୍ତ୍ତାବଳୀକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଆୟୋଗଙ୍କ ସୁପାରିସ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ୬୯ ଲକ୍ଷ ପେନସନ୍‌ଭୋଗୀଙ୍କ ପାଇଁ ଲାଗୁ ହେବ। ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ହେଉଛନ୍ତି ଏକ ସାମୟିକ ସଂସ୍ଥା ଏବଂ ଗଠନ ହେବାର ୧୮ ମାସ ମଧ୍ୟରେ ଏହା ସୁପାରିସ ଦାଖଲ କରିବେ।

Advertisment

କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ରଞ୍ଜନାପ୍ରକାଶ ଦେଶାଇଙ୍କୁ ଅଧ୍ୟକ୍ଷ, ଆଇଆଇଏମ୍ ବାଙ୍ଗାଲୋରର ପ୍ରଫେସର ପୁଲକ ଘୋଷଙ୍କୁ ଅସ୍ଥାୟୀ ସଦସ୍ୟ ଏବଂ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ ସଚିବ ପଙ୍କଜ ଜୈନଙ୍କୁ ସଚିବ ଭାବେ ନିଯୁକ୍ତ କରାଯାଇଛି। ଆୟୋଗ ଚାହିଲେ ଅନ୍ୟ କୌଣସି ବିଷୟ ଉପରେ ଅନ୍ତରୀଣ ରିପୋର୍ଟ ମଧ୍ୟ ଦାଖଲ କରିପାରିବେ। କୌଣସି ସୁପାରିସ ପୂର୍ବରୁ ଆୟୋଗ ଦେଶର ଅର୍ଥନୈତିକ ସ୍ଥିତି ଓ ଆର୍ଥିକ ଶୃଙ୍ଖଳାକୁ ବିଚାରକୁ ନେବେ। ବିକାଶମୂଳକ ଓ କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟୟ ପାଇଁ ଯେଭଳି ଯଥେଷ୍ଟ ପାଣ୍ଠି ରହିବ ତାହାକୁ ଦେଖିବେ। ସୁପାରିସର ପ୍ରଭାବ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଉପରେ କ’ଣ ପ୍ରଭାବ ପକାଇବ ତାହା ଜାଣିବେ।

ଏଥି ସହିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଘରୋଇ କ୍ଷେତ୍ରର କର୍ମଚାରୀମାନଙ୍କୁ ଦିଆଯାଉଥିବା ବେତନର ଢାଞ୍ଚା, ସୁବିଧାସୁଯୋଗ ଓ କାର୍ଯ୍ୟ ସ୍ଥିତିକୁ ମଧ୍ୟ ବିଚାରକୁ ନେବେ। ଚଳିତ ବର୍ଷ ଜାନୁଆରିରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହା କେନ୍ଦ୍ର କର୍ମଚାରୀଙ୍କ ବେତନ ଓ ସୁବିଧାସୁଯୋଗରେ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ସୁପାରିସ କରିବ। ପ୍ରତି ୧୦ ବର୍ଷରେ ଥରେ ବେତନ ଆୟୋଗ ଗଠନ କରାଯାଇଥାଏ। ସେହି ଧାରା ଅନୁସାରେ ଅଷ୍ଟମ ବେତନ ଆୟୋଗଙ୍କ ସୁପାରିସ ୨୦୨୬ ଜାନୁଆରି ୧ରୁ ଲାଗୁ ହେବା କଥା।