ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନ ଦକ୍ଷିଣ ଓ କେନ୍ଦ୍ର ଏସିଆ ପାଇଁ ଆଗକୁ ବଡ଼ ବିପଦ ଆଣିବ ବୋଲି ବରିଷ୍ଠ କୂଟନୀତିଜ୍ଞମାନେ ମତ ରଖିଛନ୍ତି। ଆଫଗାନିସ୍ତାନରେ ତାଲିବାନୀ ଆକ୍ରମଣ ବଢ଼ିଚାଲିବା ସହ ୮୫ ପ୍ରତିଶତ ଅଂଚଳ ସେମାନଙ୍କ ନିୟନ୍ତ୍ରଣକୁ ପଳାଇଥିବାରୁ ଆଗକୁ ଆଫ୍ଗାନ ସେନା ଏହାର ମୁକାବିଲା କରିବାକୁ ସକ୍ଷମ ହେବନାହିଁ ଏବଂ ଯେଉଁ ଭୀଷଣ ସ୍ଥିତି ଉପୁଜିବ ତାହା ଦକ୍ଷିଣ ଏସିଆ ଏବଂ କେନ୍ଦ୍ର ଏସିଆ ପାଇଁ ବିପଦର କାରଣ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆଫଗାନିସ୍ତାନ ପୁଣି ତାଲିବାନ ଦଖଲକୁ ଯିବା ପାଇଁ ଅମେରିକା ହିଁ ସଂପୂର୍ଣ୍ଣ ଦାୟୀ ବୋଲି ରୁଷ୍ କହିଛି। ଆମେରିକା ନିଜ ମିସନ୍ରେ ବିଫଳ ହେବା ସହ ଆଫ୍ଗାନିସ୍ତାନକୁ ଧ୍ବଂସ୍ତର ରାସ୍ତାରେ ଠେଲି ଦେଇଛି ବୋଲି ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭ୍ରୋଜ୍ କହିଛନ୍ତି। ଆଫଗାନିସ୍ତାନରେ ଆମେରିକା ସେନାର ବିଫଳତା ଏହାର ସୁରକ୍ଷା ପାଇଁ ଘାତକ ହୋଇଛି ଏବଂ ଅରାଜକତା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।
ଆଫଗାନିସ୍ତାନରେ ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ଦେଖି ଭାରତ ଗତ ସପ୍ତାହରେ କାନ୍ଦାହାର ଦୂତାବାସ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ସେଠାରୁ ଅଧିକାରୀ ଏବଂ ସୁରକ୍ଷାକର୍ମୀଙ୍କୁ ସ୍ଥାନାନ୍ତର କରିଥିଲା। ରାତାରାତି ଆମେରିକା ବାଗ୍ରାମ୍ ବିମାନ ଘାଟି ଖାଲି କରିବା ଏବଂ ତାଲିବାନକୁ ବିଧା ବାଧାରେ ମାଡ଼ିଚାଲିବା ପାଇଁ ସୁଯୋଗ ଦେବା ଯୋଗୁଁ ପରିସ୍ଥିତି ଆଉ ନିୟନ୍ତ୍ରଣରେ ନାହିଁ। ଏହା ପୂର୍ବରୁ ଭାରତ ହେରାଟ ଏବଂ ଜଲାଲାବାଦରେ ଥିବା ଦୂତାବାସ ବନ୍ଦ କରି ଦେଇଥିଲା। ଆଫଗାନିସ୍ତାନରେ ରହୁଥିବା ପ୍ରାୟ ୩୦୦୦ ନାଗରିକ ଏବଂ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନେଇ ଭାରତ ଚିନ୍ତିତ ଥିବା ବେଳେ ଆଗକୁ ସ୍ଥିତିରେ ସୁଧାର ନହେଲେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଭାରତ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି କୁହାଯାଉଛି।
ତାଲିବାନ ଏବଂ ସରକାରୀ ସମର୍ଥିତ ସୈନ୍ୟବାହିନୀ ମଧ୍ୟରେ ପୂର୍ବରୁ ହୋଇଥିବା ଗୃହଯୁଦ୍ଧରେ ଦେଶ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବା ପରେ ଆଫଗାନିସ୍ତାନର ପୁନଃନିର୍ମାଣରେ ଭାରତ ଅଂଶୀଦାର ହୋଇଆସିଛି। ୨୦୦୧ ମସିହାରୁ ଯେତେବେଳେ ଆମେରିକୀୟ ସୈନ୍ୟବାହିନୀ କାବୁଲରୁ ତାଲିବାନଙ୍କୁ ତଡ଼ି ଦେଇଥିଲେ ସେତେବେଳେ ଭାରତ ପୁନଃନିର୍ମାଣରେ ୩ ବିଲିୟନ ଡଲାରରୁ ଅଧିକ ବିନିଯୋଗ କରିଛି। ତାଲିବାନ ସହିତ ଭାରତର ଯୋଗାଯୋଗର କୌଣସି ସରକାରୀ ଚ୍ୟାନେଲ ନାହିଁ। ତେବେ ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନ ନେଇ ଭାରତ ଏକମାତ୍ର ଚିନ୍ତିତ ଥିବା ଦେଶ ନୁହେଁ। ପାକିସ୍ତାନ, ଚୀନ୍ ଏବଂ ରୁଷ୍ ପାଇଁ ମଧ୍ୟ ତାଲିବାନର ପ୍ରତ୍ୟାବର୍ତନ ସଙ୍କଟ ସୃଷ୍ଟି କରିବ ଏବଂ ଇରାନ୍, ତୁର୍କମେନିସ୍ତାନ ଓ ତାଜିକ୍ସ୍ତାନରେ ମଧ୍ୟ ସମସ୍ୟା ବଢ଼ିବ ବୋଲି କୁହାଯାଉଛି । ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ୍ ଘନି ଆଜି କହିଛନ୍ତି ଯେ ତାଲିବାନ ବିରୋଧରେ ଆମେ ଯୁଦ୍ଧ ଜିତିବୁ ଏବଂ ଏଥିପାଇଁ ପାକିସ୍ତାନ ତା’ର ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆଣିବା ଲୋଡ଼ା।
ଆଫଗାନିସ୍ତାନରେ ବିଦେଶୀ ଆତଙ୍କବାଦୀ ଆକ୍ରମଣ ପାଇଁ ରାଷ୍ଟ୍ରପତି ଅଶରଫ ଘନି ଶୁକ୍ରବାର ତାସକେଣ୍ଟରେ ଏକ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଗତ ମାସରେ ପାକିସ୍ତାନରୁ ପ୍ରାୟ ୧୦,୦୦୦ରୁ ଅଧିକ ଜିହାଦି ଆଫଗାନିସ୍ତାନରେ ପଶିଥିଲେ ଏବଂ ସେମାନେ ଏବେ ତାଲିବାନ ସହ ହାତ ମିଳାଇ ଲଢ଼େଇରେ ସାମିଲ ହୋଇଛନ୍ତି। ଏ ବାବଦରେ ଗୁଇନ୍ଦା ସଂସ୍ଥା ସ୍ପଷ୍ଟ ଚିତ୍ର ଦେଇଛି ଏବଂ ପାକିସ୍ତାନ ସେନା ଓ ଆଇଏସ୍ଆଇର କାରନାମା ପଦାକୁ ଆସିଛି। ତାଲିବାନକୁ ଶାନ୍ତି ଆଲୋଚନାରେ ଭାଗ ନେବା ପାଇଁ ପ୍ରବର୍ତ୍ତାଇବା ଦିଗରେ ପାକିସ୍ତାନ ସାମାନ୍ୟ ପଦକ୍ଷେପ ନେଇନାହିଁ ଏବଂ ଏହାର ଭୁଲ୍ ପଦକ୍ଷେପ ମାମଲାକୁ ଜଟିଳ କରିଛି ବୋଲି ଘନି କହିଛନ୍ତି। ତେବେ ତାଲିବାନ ଏବଂ ସେମାନଙ୍କ ସମର୍ଥକଙ୍କ ସହ ଲଢ଼େଇରେ ଆମ ବିଜୟ ନିଶ୍ଚିତ ବୋଲି ଘନି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।