ସ୍ତ୍ରୀକୁ ପିଟିବା ସପକ୍ଷରେ ୩ ରାଜ୍ୟର ୮୦% ମହିଳା: ସର୍ଭେ
ନୂଆଦିଲ୍ଲୀ: ନିକଟରେ ଅନୁଷ୍ଠିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଚ୍ଏଫ୍ଏସ୍) ଅନୁଯାୟୀ ୧୮ଟିରୁ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୦ ପ୍ରତିଶତରୁ ଊର୍ଦ୍ଧ୍ବ ମହିଳା ବିଶେଷ ପରିସ୍ଥିତିରେ ସ୍ତ୍ରୀକୁ ସ୍ବାମୀ ପିଟିବାରେ ଦୋଷ ନାହିଁ ବୋଲି ମତ ଦେଇଥିବା ବେଳେ ତା’ଠୁ କମ୍ ସଂଖ୍ୟକ ପୁରୁଷ ସ୍ତ୍ରୀ ପ୍ରତି ପୁରୁଷଙ୍କ ଏପରି ବ୍ୟବହାରକୁ ଉଚିତ ବୋଲି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସର୍ବେକ୍ଷଣ ଅନୁଯାୟୀ ତେଲେଙ୍ଗାନାର ୮୪ ପ୍ରତିଶତ, ଆନ୍ଧ୍ରପ୍ରଦେଶର ୮୪ ପ୍ରତିଶତ ଓ କର୍ଣ୍ଣାଟକର ୭୭ ପ୍ରତିଶତ ବା ତିନୋଟି ରାଜ୍ୟର ପ୍ରାୟ ୮୦ ପ୍ରତିଶତ ମହିଳା ପୁରୁଷଙ୍କ ଏପରି କାର୍ଯ୍ୟକୁ ଯୁକ୍ତିଯୁକ୍ତ ବୋଲି କହିଥିଲେ। ତା’ ତଳକୁ ମଣିପୁରର ୬୬ ପ୍ରତିଶତ, କେରଳର ୫୨ ପ୍ରତିଶତ, ଜମ୍ମୁ-କଶ୍ମୀରର ୪୯ ପ୍ରତିଶତ, ମହାରାଷ୍ଟ୍ରର ୪୪ ପ୍ରତିଶତ ଓ ପଶ୍ଚିମବଙ୍ଗର ୪୨ ପ୍ରତିଶତ ମହିଳା ବିଶେଷ ପରିସ୍ଥିତିରେ ସ୍ତ୍ରୀକୁ ପୁରୁଷ ପିଟିବାରେ ଦୋଷ ନାହିଁ ବୋଲି ମତ ଦେଇଥିଲେ। ତା’ପରେ ପ୍ରଶ୍ନ ପଚରାଯାଇଥିଲା ଯେ କେଉଁଭଳି ପରିସ୍ଥିତିରେ ସ୍ବାମୀ ସ୍ତ୍ରୀକୁ ପିଟିବା ଯୁକ୍ତିସଂଗତ? ମହିଳାମାନେ ଏହାର ଉତ୍ତର ଦେଇଥିଲେ: ଯଦି ସ୍ତ୍ରୀ ଅବିଶ୍ବସ୍ତ ହୁଏ, ଯଦି ସେ ଶାଶୂ, ଶ୍ବଶୁର, ଯାଆ, ନଣନ୍ଦ ଆଦି ସମ୍ପର୍କୀୟଙ୍କୁ ଅସମ୍ମାନିତ କରେ, ଯଦି ସେ ସଂଗମ ପାଇଁ ମନା କରେ, ଯଦି ସେ କାହାକୁ ନ ଜଣାଇ ବାହାରକୁ ଏକୁଟିଆ ଯାଏ, ଯଦି ସେ ପରିବାର ବା ପିଲାଛୁଆଙ୍କୁ ଅବହେଳା କରେ, ଯଦି ସେ ଭଲ ରୋଷେଇ ନ କରେ ଇତ୍ୟାଦି। ଅଧିକାଂଶ ମହିଳା ଏହି ଦୁଇ କାରଣକୁ ବାଛିଥିଲେ: ଯଦି ସ୍ତ୍ରୀ ପରିବାର ଓ ପିଲାଛୁଆଙ୍କୁ ଅବହେଳା କରେ ଏବଂ ଯଦି ସେ ସମ୍ପର୍କୀୟଙ୍କୁ ଅସମ୍ମାନିତ କରେ।
ହିମାଚଳପ୍ରଦେଶର ସବୁଠାରୁ କମ୍ ସଂଖ୍ୟକ (୧୪.୮%) ମହିଳା ସ୍ତ୍ରୀକୁ ସ୍ବାମୀ ପିଟିବା ଯୁକ୍ତିଯୁକ୍ତ ବୋଲି ମତ ଦେଇଥିଲେ। କର୍ଣ୍ଣାଟକର ୮୧.୯ ପୁରୁଷ ପିଟିବାକୁ ଯୁକ୍ତିଯୁକ୍ତ ଦର୍ଶାଇଥିବା ବେଳେ ହିମାଚଳପ୍ରଦେଶର ୧୪.୨ ପ୍ରତିଶତ ପୁରୁଷ ସେହି ଏକା ମତ ଦେଇଥିଲେ। ‘ରୋଶନି’ ନାମକ ହାଇଦ୍ରାବାଦର ଏକ ଏନ୍ଜିଓର ନିର୍ଦ୍ଦେଶିକା ଉଷାଶ୍ରୀ କହିଥିଲେ କୋଭିଡ୍-୧୯ ମହାମାରୀ ସମୟରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଓ ଘରୋଇ ହିଂସା ବୃଦ୍ଧି ପାଇଥିବା ତାଙ୍କ ସଂଗଠନ ଲକ୍ଷ୍ୟ କରିଛି। ଅନେକ ପୁରୁଷ ଆୟ କମିଯିବାରୁ ବା ମହାମାରୀ-ଜନିତ ଅନ୍ୟ କାରଣରୁ ହତାଶ ହୋଇ ସ୍ତ୍ରୀ ଉପରେ ରାଗ ଶୁଝାଇଥାନ୍ତି। ତେଲେଙ୍ଗାନାରେ ୮୪ ପ୍ରତିଶତ ମହିଳା ପୁରୁଷର ପିଟିବାକୁ ଯୁକ୍ତିଯୁକ୍ତ ବୋଲି କହିଥିବା ବେଳେ ରାଜ୍ୟ ସରକାର ନାରୀ ସୁରକ୍ଷା ଓ ସଶକ୍ତୀକରଣ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସଖୀ – ୱାନ୍ ଷ୍ଟପ୍ ସେଣ୍ଟର, ୱିମେନ୍ ହେଲ୍ପଲାଇନ୍, କିଶୋରୀ ଯୋଜନା, ମହିଳା ଶକ୍ତି କେନ୍ଦ୍ର ଆଦି ସେଥି ମଧ୍ୟରୁ କେତୋଟି। ମହିଳାମାନଙ୍କୁ ପିଟିବା ସପକ୍ଷରେ ମହିଳାମାନେ ଯେଉଁସବୁ କାରଣ ଦର୍ଶାଇଛନ୍ତି, ସେଗୁଡ଼ିକ ପୁରୁଷ-କୈନ୍ଦ୍ରିକ ସାମାଜିକ ପରମ୍ପରା ଓ ସଂସ୍କୃତିର ଫଳ ବୋଲି ଜେଣ୍ଡର ଜଷ୍ଟିସ୍, ଅକ୍ସଫାମ୍ ଇଣ୍ଡିଆର ମୁଖ୍ୟ ବିଶେଷଜ୍ଞା ଅମିତା ପିତ୍ରେ କହିଛନ୍ତି।