୧୫ ନିୟୁତ ଡଲାରରେ ନିଲାମ ହେଲା ଆଇନଷ୍ଟାଇନଙ୍କ ଯୁଗାନ୍ତକାରୀ ‘ଥିଓରି ଅଫ ରିଲେଟିଭିଟି’ ପାଣ୍ଡୁଲିପି

ପ୍ୟାରିସ୍ : ଆଲବର୍ଟ ଆଇନଷ୍ଟାଇନଙ୍କୁ ଆଧୁନିକ ଯୁଗର ସବୁଠାରୁ ମହାନ ବୈଜ୍ଞାନିକ ବୋଲି ଗଣାଯାଏ । ତାଙ୍କ ଦ୍ବାରା ଉଦ୍ଭାବିତ ଥିଓରି ଅଫ ରିଲେଟିଭିଟି ବା ଆପେକ୍ଷିକ ସିଦ୍ଧାନ୍ତ ଭୌତିକ ବିଜ୍ଞାନରେ ସବୁଠାରୁ ଯୁଗାନ୍ତକାରୀ ସିଦ୍ଧାନ୍ତ ହିସାବରେ ଗ୍ରହଣ କରାଯାଏ ।

ଆଇନଷ୍ଟାଇନ ଥିଓରି ଅଫ ରିଲେଟିଭିଟି ଯେଉଁ ପାଣ୍ଡୁଲିପିରେ ପ୍ରଥମ ଥର ପାଇଁ ଲେଖିଥିଲେ ତାହାକୁ ନିଲାମ କରାଯାଇଛି । ଫ୍ରାନ୍ସର ନିଲାମକାରୀ ସଂସ୍ଥା କ୍ରିଷ୍ଟିଜ୍ ଅକ୍ସନ ପକ୍ଷରୁ ଏହାକୁ ପ୍ରାୟ ୧୩.୩ ନିୟୁତ ୟୁରୋ (୧୫ ନିୟୁତ ଡଲାର) ମୂଲ୍ୟରେ ନିଲାମ କରାଯାଇଛି ।

ଆଇନଷ୍ଟାଇନଙ୍କ ବିଭିନ୍ନ ବୈଜ୍ଞାନିକ ସିଦ୍ଧାନ୍ତ ଲେଖାଥିବା ପାଣ୍ଡୁଲିପି ମଧ୍ୟରୁ ଏବେ କେବଳ ଦୁଇଟି ଅକ୍ଷୁର୍ଣ୍ଣ ରହିଛି । ସେଦୁଇଟି ମଧ୍ୟରୁ ଏହା  ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପାଣ୍ଡୁଲିପି ବୋଲି କୁହାଯାଉଛି । ନିଲାମ କଲେ ଏହା ପ୍ରାୟ ୨ ରୁ ୩ ନିୟୁତ ୟୁରୋ ବିନିମୟରେ ବିକ୍ରି ହେବ ବୋଲି ପୂର୍ବରୁ ଅଟକଳ କରାଯାଉଥିଲା । କିନ୍ତୁ ପ୍ରକୃତ ନିଲାମ ମୂଲ୍ୟ ଆଶାତୀତ ଭାବେ ବଢିଯାଇଛି ।

୨୦୧୮ ରେ ଆଇନଷ୍ଟାଇନଙ୍କ ଗଡ ଲେଟର ( ଇଶ୍ବରଙ୍କ ପତ୍ର) ୨.୯ ନିୟୁତ ୟୁରୋ ବିନିମୟରେ ବିକ୍ରି ହୋଇଥିଲା । ପୂର୍ବରୁ ୨୦୧୭ରୁ ଆଇନଷ୍ଟାଇନଙ୍କ ସିକ୍ରେଟ ଅଫ ହାପିନେସ୍ ( ସୁଖର ରହସ୍ୟ) ୧.୫୯ ନିୟୁତ ୟୁରୋରେ ବିକ୍ରି ହୋଇଥିଲା । ଏଣୁ ଏଥର ବି ନିଲାମରେ ପାଣ୍ଡୁଲିପିଟି ୨ରୁ ୩ ନିୟୁତ ୟୁରୋ ବିନିମୟରେ ବିକ୍ରି ହେବ ବୋଲି ଆଶା କରାଯାଉଥିଲା ।

ସମ୍ବନ୍ଧିତ ଖବର